ତୁମେ ମଣିଷ ନା ପଥର
ତୁମେ ମଣିଷ ନା ପଥର
ପତର ସମାନ ମଣିଷର ମନ
ହଲଇ ଟିକିଏ ବାତରେ
ବିପଦେ ଅଧୀର ସମ୍ପଦେ ବିଭୋର
ଲକ୍ଷଣ ଦୃଶ୍ୟ ତାହାଠାରେ
ଦେଖେ ତୁମଠି
ସବୁ ବିପରୀତ ମାତର
ନୀରବ ନିଶ୍ଚଳ ସତେ ନିର୍ବିକାର
ତୁମେ ମଣିଷ ନା ପଥର ।
ସହନଶୀଳତା ସତେ ବସୁମାତା
ଆତ୍ମୀୟେ ନ ପାରନ୍ତି କଳି
ଏକୁଟିଆ ତୁମ ଜୀବନ ସଂଗ୍ରାମ
ଧୂପଟେ ସମ ଜଳି ଜଳି
କୁହ କିପରି
ହୋଇଲ ଏତେ ଧୈର୍ଯ୍ୟଶୀଳ
ପାରେ ନାହିଁ ଭାବି ସିନା ଅନୁଭବୀ
ପ୍ରଶ୍ନରେ ମନ ଟଳମଳ ।
ତୁମେ କର୍ମଯୋଗୀ ସେଥେ ଅନୁରାଗୀ
ନଥାଏ କେବେ ଫଳେ ଆଶା
ଯାଚି ଦେଇଥାନ୍ତି ଈଶ୍ବର ଯେତିକି
ସେତିକିରେ ଖୁସିରେ ବସା
ବାନ୍ଧି ଚଳୁଥା'
ଜଣେ ସ୍ଥିତପ୍ରଜ୍ଞ ସମାନ
ଗୃହସ୍ଥ ଯତିରେ ମତିକୁ ଈଶ୍ବରେ
ସମରପି ସ୍ବତନ୍ତ୍ର ସ୍ଥାନ ।
