ତୁମେ ଗଲା ପରେ
ତୁମେ ଗଲା ପରେ


ତୁମେ ଗଲା ପରେ ମନ ଉପବନେ
ଉଡୁନାହିଁ ପ୍ରଜାପତି
ତୁମ କଥା ଭାଳି ନିଦ ହେଉ ନାହିଁ
ବିରହେ ବଢୁଛି ତାତି l
ତୁମେ ଗଲା ପରେ ମୋ ଜୀବନ ଲାଗେ
ବେରଙ୍ଗି ଫଗୁଣ ପରି
ଫିକା ଫିକା ଲାଗେ ଏ ଧାରା ଶ୍ରାବଣ
ହୃଦୟେ ଶୂନ୍ୟତା ଭରି l
ତୁମେ ଗଲା ପରେ ମୋ ସୁଖ ନଅର
ହୋଇଗଲା ଛାରଖାର
ଭରସା ବିଶ୍ୱାସ ସବୁ ତୁଟିଗଲା
ହାରିଗଲା ପ୍ରେମ ମୋର l
ତୁମେ ଗଲା ପରେ ଆମ ସମ୍ପର୍କରେ
ପଡିଗଲା ଯବନିକା
ଭାବିଲନି ଥରେ କେମିତି ବଞ୍ଚିଛି
ଜୀବନରେ ଏକା ଏକା l
ତୁମେ ଗଲା ପରେ କାଠ ଗଣ୍ଡି ପରି
ଭାସୁଛି ମଝି ନଈରେ
କୂଳ କି କିନାରା ଜମା ପାଉ ନାହିଁ
ଏ ଅଲୋଡ଼ା ଜୀବନରେ l
ତୁମେ ଗଲା ପରେ ଯାଯାବର ଭଳି
ଆଜି ଏଠି କାଲି ସେଠି
ମରି କି ବଞ୍ଚିଛି କାନ୍ଦି କି ହସୁଛି
ଅଭିନୟ ରଙ୍ଗ ମାଖି l