ତୁମେ ବସିଲଣି ନନ୍ଦିଘୋଷରେ
ତୁମେ ବସିଲଣି ନନ୍ଦିଘୋଷରେ
ତମେ ସିନା ସୁସ୍ଥ ହେଲ ମହାପ୍ରଭୁ
ମୁଁ ଯେ ସୁସ୍ଥ ହେଲି ନାହିଁ,
ତୁମେ ଚଢିଲଣି ନନ୍ଦିଘୋଷ କିନ୍ତୁ
ମୁଁ ବିଛଣା ଛାଡୁନାହିଁ।
ମୁଁ ଯେଣୁ ଅଭାବି ମଣିଷଟି ପ୍ରଭୁ
ଯାଇପାରିଲିନି ପୁରୀ,
ଏଇଠି ଥାଇକି କାଳିଆ ସାଆନ୍ତେ
ଶ୍ରୀପଦେ କରେ ଗୁହାରି।
ଭକ୍ତ ସାଲବେଗ ନୁହେଁ ମୁଁ ଠାକୁର
ମୋ ଡାକରେ ଅଟକିବୁ,
ଦାସିଆ ବାଉରୀ ହୋଇକି ପାରିବି
ମୋ ହାତୁଁ ନଡ଼ିଆ ନେବୁ ।
ଏଇଠୁଁ ମୁଣ୍ଡିଆ ମାରୁଛି ସାଆନ୍ତେ
ବାରେ ପ୍ରଭୁ ଘେନାକର,
ରଥରେ ବାମନ ମୂରତୀ ଦର୍ଶନ
ନାହିଁ କେବେ ଭାଗ୍ୟେ ମୋର।
ରଥ ଚାରିପାଖ ମୁକ୍ତା ଝରୁଥିବ
ତୁମ ପାଇଁ ପାଟ ବସ୍ତ୍ର,
ଛିଣ୍ଡା କତରାରେ ମୁଁ ଦିନ କାଟୁଛି
ଅଢେଇଦିନକୁ ମାତ୍ର।
ଆଜି ଯାଏଁ ତୁମ ରଥଯାତ୍ରା ପ୍ରଭୁ
ଏ ନେତ୍ର କେବେ ଦେଖିନି,
କେଉଁ ଅପରାଧ କରିଛି ପ୍ରଭୁ ହେ
ମୁଁ ପାପୀ ଜାଣି ପାରୁନି।
ଜୟ ଜଗନ୍ନାଥ ଶବ୍ଦ ପ୍ରକମ୍ପିତ
ହେଉଥିବ ନିଳାଚଳେ,,
ଜନ ସମୁଦ୍ରରେ ପୁରୀ ପୁରିଥିବ
ଯାହା ଅନୁମାନ କରେ।
ତୁମ ନୀଳାଚଳେ ଯିବାପାଇଁ ପ୍ରଭୁ
ଭାବୁଥାଏ ମୁହିଁ ଯେତେ,
ମାୟା ମୋହ ଭରା ସଂସାର ଜାଲଟା
ଟାଣୁଛି ପଛରୁ ମୋତେ।
ଘଣ୍ଟୁଆ ସେବକ ଶତ ଶତ ଘଣ୍ଟ
ଐକ୍ୟ ଘଣ୍ଟ ଶବ୍ଦ ତାଳେ,
କାଳିଆ ହାତୀ ମୋ ଝୁଲି ଆସୁଥିବ
ବିଜେ ଧାଡ଼ି ପହଣ୍ଡିରେ।
ରାମକୃଷ୍ଣ ଆଉ ମଦନ ମୋହନ
ଭୁଦେବୀ ଶ୍ରୀଦେବୀ ସହ,
ରଥାରୁଢ଼ ହୋଇ ଆହେ ମହାପ୍ରଭୁ
ଜନମ ବେଦୀକୁ ଯାଅ।
ଗଡୁଥାଉ ତୁମ ନନ୍ଦିଘୋଷ ରଥ
ହସୁଥାଅ ଭକ୍ତ ମେଳେ,
ମୋ ଦେହ ରଥଟି ଅଟକି ରହିଛି
ମୋର ଭଙ୍ଗା ଚାଳିଆରେ।
ବାହୁଡ଼ିବ ରଥ ବାହୁଡିବ ତୁମେ
ତୁମେ ତୁମ ଶ୍ରୀମନ୍ଦିର,
ହେଲେ ଆଉ କେବେ ବାହୁଡିବନାହିଁ
ଏହି ଦେହ ରଥ ମୋର।
ତୁମେ ବାହୁଡିଲେ ସୁନାବେଶ ହେବ
ନିଳାଦ୍ରୀ ବିଜେ କରିବ,
ହେଲେ ମୋରଥଟି ଅଣଲେଉଟା ଯେ
ମାଟିରେ ମିଳେଇଯିବ।
ସବୁଦିନ ପ୍ରଭୁ ତୁମର ଏ ଲୀଳା
ନୀଳାଚଳେ ଲାଗିଥାଉ,
ତୁମ ନାମ ଗାଇ ଏ ପିଣ୍ଡରୁ ମୋର
ପ୍ରାଣପକ୍ଷୀ ଉଡିଯାଉ।
