ତୁମ ପ୍ରତୀକ୍ଷାରେ
ତୁମ ପ୍ରତୀକ୍ଷାରେ
ମନଅଗଣାରେ ପାଦ ଥାପି ଥାପି
ଆସ ତୁମେ ନିରୋଳାରେ
ତୁମ ଆଗମନେ ହୃଦୟ କଦମ୍ବ
ଗଛରେ ପତର ଭରେ.।
ଚୋରା ଚଇତାଳି ବାଆ ସୁଲୁ ସୁଲୁ
ତନୁ ମନ ଛୁଇଁ ଯାଏ
ଆମ୍ର କୁଞ୍ଜବନେ ପଞ୍ଚମ ତାନରେ
କୋକିଳ ବୀଣା ବଜାଏ.।
ମଧୁର ଚାନ୍ଦିନୀ ରାତ୍ରୀ ବିତିଯାଏ
ଆଶାର ଦୀପାଳି ଜଳେ
ଦିବ୍ୟ ପରସରେ ଭୟ ଭ୍ରାନ୍ତି ତୁଟେ
ପ୍ରେମର ତରଙ୍ଗ ଖେଳେ.।
ରଙ୍ଗେ ରଙ୍ଗା ୟିତ ପ୍ରୀତି ପିୟୁଷ ମୋ
ବିଛୁରିତ ହୋଇଯାଏ
ମନ ଯମୁନାରେ ପ୍ରଣୟ ଢେଉରେ
କାମନା ଦୀପ ଜଳାଏ.।
ନବ ଉନ୍ମାଦନା ଛାତି ତଳେ ଜାଗେ
ତୁମରି ସାନ୍ନିଧ୍ୟ ପ
ାଇଁ
ପ୍ରତୀକ୍ଷାରେ ମୋର ପାହିଯାଏ ରାତ୍ରୀ
ତୁମ ପଥ ଚାହିଁ ଚାହିଁ.।
ଆସ ଆସ ମୋର ମନର ମାନସୀ
ଗଭାରେ ଗଜରା ଖୋସି
ଚୁର୍ଣ୍ଣ କୁନ୍ତଳରେ ସଜାଇ ହୋଇଣ
ପ୍ରେମାଳାପ ଦିଅ ଭାଷୀ.।
ରୁଣୁ ଝୁଣୁ ତୁମ ପାଉଁଜିର ସ୍ୱର
ମନକୁ ବାଉଳା କରେ
ବିରହ ବେଦନା କରେ ଆନମନା
ପ୍ରୀତିକୁ ଖୋଜେ ଅଧିରେ.।
ପକ୍ୱ ବିମ୍ବ ଓଷ୍ଠେ ମଧୁର ଚୁମ୍ବନ
ଦେଇ କର ମନ ତୋଷ
ପ୍ରାଣ ପ୍ରିୟା ମୋର କଟାଳ ନ କରି
ପିଆଅ ପ୍ରୀତି ପିୟୁଷ.।
ମନ ଭ୍ରମର ମୋ ଆନନ୍ଦ ମନରେ
ପ୍ରେମ ରସ କରି ପାନ
ତୁମ ପ୍ରତୀକ୍ଷାରେ ରହିଥିବ ଚାହିଁ
ଆସୁଥିବ ପ୍ରତିଦିନ.।।