ତୁମ ପରି ପିଲାଟିଏ
ତୁମ ପରି ପିଲାଟିଏ
ତୁମ ପରି ପିଲାଟିଏ
ପିତୃହରା ଥିଲା ସିଏ
ଚେହେରାଟି ତା'ର ବାଙ୍ଗରା ଥିଲେ ବି
ସୁଗୁଣେ ପର୍ବତଟିଏ ।
ରାମଦୁଲାରୀଙ୍କ ଧନ
ଅଜା ଘରେ ପିଲାଦିନ
କାଟି ଦେଇଥିଲେ ନାନା ସୁଖେଦୁଃଖେ
ପରିସ୍ଥିତିର ଅଧୀନ ।
ଦିନେ ସେ ବିଦ୍ୟାଳୟରୁ
ସାଥୀ ସହ ଫେରୁ ଫେରୁ
ବିଜୁଳି ବଗିଚା ଡେଇଁକି ପଶିଲେ
ଲୋଭ ଜାଗ୍ରତ ହେବାରୁ ।
ସାଥୀମାନେ ଡେଙ୍ଗା ଥିଲେ
ପିଜୁଳି ଗଛେ ଚଢ଼ିଲେ
ଚଢ଼ି ନପାରି ସେ ବଗିଚାରେ ବୁଲି
ଫୁଲ ତୋଳାରେ ଲାଗିଲେ ।
ଦୂରୁ ଦେଖି ଜଗୁଆଳି
ସାଥୀଏଁ ଡେରି ନକରି
ପ୍ରୟୋଗୀ ନିଜର ବୁଦ୍ଧି କଉଶଳ
ବାଡ଼ ଡେଇଁ ଗଲେ ଚାଲି ।
ଜଗୁଆଳିର ହାତରେ
ସିଏ ଧରା ପଡ଼ି ଗଲେ
ରାଗ ଜରଜର ହୋଇ ଜଗୁଆଳି
ବପା ନାଆଁ ପଚାରିଲେ ।
ଭୟେ ଥରଥର ହୋଇ
ପିଲାଟି ତାକୁ କହଇ
ବାପା ମୋ ନାହାନ୍ତି ଦୁନିଆରେ ଆଉ
ଅଜାଙ୍କ ଘରେ ରହଇ ।
ସେଠୁ ଜଗୁଆଳି କ୍ରୋଧ
ଶାନ୍ତରେ ବିକଳ ହୃଦ
ଆଶ୍ବାସନା ବାଣୀ ଶୁଣାଇ ଟିକିଏ
ସ୍ନେହ ପରଶେ ଆବଦ୍ଧ ।
କହିଲେ ସିଏ ବୁଝାଇ
ଦୁଷ୍ଟ ସଙ୍ଗେ ମିଶ ନାହିଁ
ଭଲ ବୁଦ୍ଧି ଶିଖ ଭଲ ମଣିଷଟେ
ଦୁନିଆରେ ହେବାପାଇଁ ।
ସେହି ଦିନରୁ ପିଲାଟି
ଘୋଷା କଲା ଏ କଥାଟି
ସରଳ ନିଷ୍କପଟ ହୃଦୟରେ
ସାଇତେ ଗୁରୁ ଜ୍ଞାନଟି ।
ପରାଧୀନ ଭାରତର
ଦୃଶ୍ୟକୁ ଦେଖି କାତର
ବଡ଼ ହୋଇ ସିଏ ସଂଗ୍ରାମୀ ଜୀବନ
ବିରୋଧରେ ଇଂରେଜର ।
ସିଏ ସ୍ବାଧିନତା ପରେ
ରେଳମନ୍ତ୍ରୀ ହୋଇଥିଲେ
ରେଳ ଦୁର୍ଘଟଣା ହେବାରୁ ବିକଳେ
ଇସ୍ତଫା ସେ ଦେଇଦେଲେ ।
ଭାରତୀୟ ଜନତାର
ହୃଦୟରେ ଯଶସ୍କର
ଲାଲବାହାଦୂର ଶାସ୍ତ୍ରୀଙ୍କ ଚରିତ୍ର
ଉଜ୍ଜ୍ବଳ ପରିଷ୍କାର ।
ଗୁଣରେ କେତେ ମହତ
ଚିହ୍ନିଲା ସାରା ଭାରତ
ସ୍ବଚ୍ଛ ନିରିମଳ ଶାନ୍ତି ପୂଜାରୀଙ୍କୁ
ଦେଖି ଜନତା ମୋହିତ ।
ଜବାହରଲାଲ ନେହେରୁ
ବିଦାୟ ନେଲେ ଧରାରୁ
ଦ୍ବିତୀୟ ପ୍ରଧାନମନ୍ତ୍ରୀ ପଦରେ
ଶାସ୍ତ୍ରୀ ହେଲେ ମହା ଗରୁ ।
ରାମଦୁଲାରୀଙ୍କ ନହ୍ନା
ଭାରତର ପୁଅ ସୁନା
ନିଃସ୍ବାର୍ଥପର ଆଦର୍ଶ ଜୀବନୁ
ଛୁଟିଲା ଚନ୍ଦନ ବାସ୍ନା ।
ମର ଦେହ ସିନା ନାହିଁ
ଅମର ସେ ଥିବେ ରହି
ତାଙ୍କ ପରି ଆଉ ଜନମିନି କେହି
ସୁବାସକୁ ମହକାଇ ।
ଦେଶଠୁ ବିଦେଶ ଯାଏ
ତାଙ୍କ ଦେଶଭକ୍ତି ଗାଏ
ସେଥିପାଇଁ ସେହି ପବିତ୍ର ଆତ୍ମାକୁ
କୋଟି ପ୍ରଣତି ଜଣାଏ ।।