ତୁମ ପାଇଁ ପଦେ
ତୁମ ପାଇଁ ପଦେ
କୋଟିଏ ମୁକ୍ତା ରୁ ଗୋଟିଏ ଶବ୍ଦ ଯେ
ବାଛି ଆଣି ଯୋଡି ଦିଅ ।
ଅମୂଲ୍ୟ ତୁମର ଶବ୍ଦ ସଂଯୋଜନା
କାହୁଁ ତୋଳି ଆଣି ଥୁଅ ।
ଜଣାନାହିଁ ମତେ ସ୍ବର ତାଳ ଲୟ
ଜଣାନାହିଁ ଅଳଙ୍କାର ।
ଗଜ ମୁର୍ଖ ମୁହିଁ ସତ କହୁଚି ଗୋ
ବୁଝେନି ତୁମ ଅନ୍ତର ।
କୋଟି ଜନ୍ମ ପୂଣ୍ୟ ଫଳେ ଆଜି ମୁହିଁ
ତୁମକୁ ପାଏ ନିକଟେ ।
ଦୋଷ ଧରିବନି ମୋର ଆହେ ସଖା
ରହିବ ମୋ ହୃଦ ତଟେ ।
ଭୁଲି ଯିବନାହିଁ ମୋର ଏ ସ୍ମୃତି କୁ
ଅଳ୍ପକେ ମନେ ରଖିବ।
ତୁମେ ସଖା ମୋର ହୃଦୟରେ ଅଛ
ଜୀବନେ ଭୁଲି ନ ହବ ।
ମରିବା ପୂର୍ବରୁ ତୁମଙ୍କୁ ଭାବିବି
ଆଖିରେ ଦେଖିବା ପାଇଁ ।
ନଦେଖିଲେ ସଖା ପ୍ରାଣ ମୋର ଏଠି
କଷ୍ଟ ହେବ ଯିବା ପାଇଁ ।
ଭୁଲି ବାର ନାହିଁ ମନରୁ ମୋହର
ତୁମର ଅଭୂଲା ସ୍ମୃତି ।
ଅମୁହାଁ ଢାଳିଚ ସ୍ନେହ ମମତା ଯେ
ମୋ ଜୀବନେ ସିଏ ମୋତି ।
ସ୍ବାଭିମାନ ଭରା ହୃଦୟ ତୁମର
କଥା କୁହ ମାପି ଚୁପି ।
ଜଗିଥାଅ ସଦା ଇଜ୍ଜତ ମୋହର
ମୋ ଖୁସିରେ ତୁମ ତୃପ୍ତି ।
ଶେଷରେ ଏତିକି ମାଗୁଣି ତୁମକୁ
ସୂତାଖିଏ ସ୍ନେହ ଦବ ।
ସେତିକି ମୋ ପାଇଁ ସ୍ବର୍ଗ ସୁଖ ସମ
ରହୁଛି ପ୍ରଣାମ ନବ ।

