ତୁମ ନାମେ ହୁଏ ଶେଷ
ତୁମ ନାମେ ହୁଏ ଶେଷ
ତୁମଠୁ ଆସିଛି ତୁମ ପାଶେ ଯିବି
ତୁମେ ସୃଷ୍ଟି ଓ ବିଲୟ,
ଅଧାବାଟେ କାହିଁ ବିଡମ୍ବନା ଆସେ
ହୁଏ କାଳଚକ୍ର ଭୟ।
ମନୁଷ୍ଯ କାଳର ଅଧୀନ ଅବଶ୍ଯ
ତୁମେ ମହାକାଳ ରୂପ,
କାଳ ତୁମ ବଶେ ବାହଇ ନିର୍ଦ୍ଦେଶ
କାହିଁକି ଦିଏ ସନ୍ତାପ ?
ତୁମେ ପରା ଏକ, ଅଦ୍ବିତୀୟ ବ୍ରହ୍ମ
କାହାକୁ କାହିଁ ଡାକିବି,
ତୁମଠାରେ ମୋର ଆଶା ଓ ଭରସା
କାହିଁକି କା'ରେ ଡରିବି ?
ସମର୍ପି ଦେଇଛି ତନ, ମନ, ଧନ,
ମୋହର କିଛି ତ ନାହିଁ,
ସବୁ ତ ତୁମର, ତୁମ ଇଚ୍ଛା ମତେ
ଚାଲିଛି ଜଗତ ସାଇଁ ।
ବିଲୟର ଦୁଃଖ କେ କାହିଁ କରିବ
ତୁମ ଦେହେ ହେଲେ ଲୀନ,
ଏହାଠାରୁ ବଡ ଭାଗ୍ଯ କିବା ହେବ
ପାଇ ମନୁଷ୍ଯ ଜନମ ।
ଆହେ ପରଂବ୍ରହ୍ମ ଜଗତର ନାଥ
ତୁମେ ପୂର୍ଣ୍ଣ ତୁମେ ସତ୍ଯ,
ତୁମରି ନାମରେ ଦିବସ ଆରମ୍ଭ
ତୁମ ନାମେ ହେଉ ଶେଷ ।
ରାତ୍ରି ନ ହୋଇବ ଜୀବନରେ ମୋର
ଦିବା ନିଦ୍ରା ମୋତେ ଦେବ
ତୁମ ନାମ ଜପ କରୁଥିବ ମନ
ତୁମ ସ୍ବରୂପ ଦେଖିବ ।