ତୁମ କଥା
ତୁମ କଥା
କୁଞ୍ଜ ବନେ କୋଇଲି
ଗୀତ ଆଉ ଗାଉନି,
ଘର ଆଗ ରାସ୍ତା
କୃଷ୍ଣଚୂଡ଼ା ଗଛରେ
ଫୁଲ ଆଉ ଫୁଟୁନି,
ଚାଳ ଉପରେ
କାଉ ଆଉ ବସୁନି,
ପଶିଲେ ବି ପୂର୍ବପରି
ଆଉ ସେ କା’ କା’ ରାବୁନି ।
ଡ୍ରେସିଂ ଟେବୁଲ ଆଇନା
ଅସନା ହୋଇ ପଡିଛି
ମୁହଁ ଆଉ ଦିଶୁନି ।
ବାରି ପଟ ତାରରେ
ପକ୍ଷୀମାନେ ଦୋଳି ଖେଳୁଛନ୍ତି
ସେଠି ଆଉ ନାଲି ଶାଢ଼ୀ ଶୁଖୁନି ।
ଝରକା ଖୋଲିଲେ ବି
କେହି ଆଉ
ଉଙ୍କି ମାରି ଜହ୍ନକୁ ଦେଖୁନି।
ମୌସୁମୀ ବହିଲେ ବି
ମାନେ ଆଉ
ପ୍ରୀତି ସେ ଭରୁନି ।
ଦିନ ରାତି
ଦୀପ ଯେତେ ଜାଳିଲେ ବି
ଅନ୍ଧାର ଘୁଁଚୁନି ।
ସାରା ଦିନ ବସି ବସି
ତୁମ କଥା ଭାବିଲେବି
ତୁମ ସ୍ୱର
ଆଉ ମୋତେ ଶୁଭୁନି ,
ସୋଇ ରହି
ଯେତେ ସ୍ୱପ୍ନ ଦେଖିଲେ ବି
ତୁମ ରୂପ
ମୋ ଆଖିରେ ନାଚୁନି ।

