ତୁମ ହୃଦୟରେ ଆଶ୍ରୟ ଦିଅ
ତୁମ ହୃଦୟରେ ଆଶ୍ରୟ ଦିଅ
ତୁମ ମନସ୍ତତ୍ତ୍ଵେ ତୁମେ ମତୁଆଲା
ମୋ' ମାନସିକତାର ମୂଲ୍ୟ ନାହିଁ
ଭାବିଛ କି ମୋତେ ରୁଗ୍ଣ ବଟବୃକ୍ଷ
ବାର୍ଦ୍ଧକ୍ୟକୁ ମୋର ଦେଉଛ ଦ୍ୱାହି ।
ବୃଦ୍ଧ ସତ , କିନ୍ତୁ ମୋ' ଛାଇ ଶୀତଳ
ତୁମ ଯୌବନର ଜୁଆର ନୁହେଁ
ପାନ୍ଥ ହୁଅନ୍ତୁ କି ସତୃଷ୍ଣ ଶାବକ
ଛାୟାଦାନେ ଆତ୍ମତୃପ୍ତି ହିଁ ପାଏ ।
ମୋ' ଛାଇରେ ମୋ'ର ଆତ୍ମାନୁଶୀଳନ ,
ପ୍ରତିଧ୍ୱନି ସୁରେ କୁହେ ମୋ' କଥା
ହେ ପଥିକ ! ତୁମେ ତୃଷ୍ଣାର୍ତ୍ତ , କ୍ଷୁଧାର୍ତ୍ତ ,
ପାଇବ ମୋ' ଠାରୁ ମଧୁ ମିତ୍ରତା ।
ମର୍ତ୍ତ୍ୟରେ ମିତ୍ରତା ବିରଳ ସମ୍ପତ୍ତି
ମିତ୍ରବତ୍ସଳକୁ ମିଳି ହିଁ ଥାଏ
ମିତ୍ରାକ୍ଷରୀ ତା'ର ସ୍ଵଜାତି ସ୍ଵଭାଵ
ଅମିତ୍ରାକ୍ଷରୀଙ୍କୁ ଦୂରେଇଦିଏ ।
ଅସଂଖ୍ୟ ଶାବକ ଆଶ୍ରୟ ନିଅନ୍ତି ,
ସମସ୍ତଙ୍କୁ ମୁହିଁ ଭାବେ ନିଜର
କହି କି ପାରିବ , ତୁମ ନଜରରେ
କାହିଁକି ଦିଶେ ମୁଁ ତୁଠପଥର ।
ପଥରକୁ ତୁମେ ନିର୍ଜୀବ ଭାବୁଛ ,
ପାଷାଣ ହେଲେ ବି ହୃଦୟ ଅଛି
ତୁମେ ତ ମଣିଷ ତିଳ ତିଳ କରି
ଜାଳୁଅଛ ମୋତେ , ଭାବୁନା କିଛି ।
ପକ୍ଷୀର କାକଳି ପରାର୍ଦ୍ଧ ଅର୍ଦ୍ଦଳି
ମୋ' ବିଜନ ବକ୍ଷେ ଢାଳେ ଅମୃତ
ମୋ' ଛାଇକୁ ନେଇ ଯାମିନୀ ସଜାଇ
ଧିକ୍କାରୁଛ ମୋତେ କିମ୍ପା , କୁହ ତ ।
ଯୌବନରେ ଯେବେ ଜହ୍ନ ତୋଳିଆଣି
ତୁମରି ହାତରେ ଅରପୁଥିଲି
ନିଶାର୍ଦ୍ଧଲଗ୍ନରେ ତୁମ ସ୍ବପ୍ନସବୁ
କର୍ତ୍ତବ୍ୟଭିତ୍ତିରେ ସଜାଡୁଥିଲି ।
ସେତେବେଳେ ଥିଲି ଶୀର୍ଷ ସୋପାନରେ
ଏବେ ସେ ସୋପାନ ହଜିଯାଇଛି
ତୁମ ରୁକ୍ଷତାର ମାରଣାସ୍ତ୍ର ମୋତେ
କୀର୍ତ୍ତିହରା କରି ଥୋଇ ଦେଇଛି ।
ବାର୍ଦ୍ଧକ୍ୟ କେବେ ବି ବୀତସ୍ପୃହ ନୁହେଁ ,
ସୁସମୃଦ୍ଧ ଅନୁଭୂତିର ସେ ତ
ଯୌବନ-ନିଶାରେ ମତୁଆଲା ହୋଇ
କରୁଛ କାହିଁକି କୁଠାରାଘାତ ।
ବୃଦ୍ଧାଶ୍ରମ ନୁହେଁ ପ୍ରଯୁଜ୍ୟ ତା' ପାଇଁ ,
ତୁମ ହୃଦୟରେ ଆଶ୍ରୟ ଦିଅ
ଆସନ୍ତାକାଲିର ବାର୍ଦ୍ଧକ୍ୟ ବକ୍ଷରେ
ସମ୍ମାନ ହସିବ , ଦେଖିବ ରୁହ ।