ବୁଝାମଣା
ବୁଝାମଣା
ଏଇ ମନ ଗୀତା ଗ୍ରନ୍ଥ ଭାଗବତ
ପୁରୀ କାଶୀ ବୃନ୍ଦାବନ
ମନ ପୋଡ଼ିଗଲେ ଅମୃତ ବି ପିତା
ସତେ ଦଗ୍ଧ ଉପଵନ ।।
ବୁଝାମଣା ଯଦି ସକାରାତ୍ମକ ତ
ସବୁ ସ୍ନେହ ସଜସଜ
ନାକାରାତ୍ମକ ଯେ ରହିଲେ ଭାବନା
ଵଢାଏ ଦୁଃଖ ଦରଜ ।।
ଘର ପରିବାର ଅଵା କର୍ମକ୍ଷେତ୍ର
ସୁସମ୍ପର୍କେ ସ୍ଵର୍ଗସୁଖ
ମନୋମାଳିନ୍ୟର ତିଳେ ମାତ୍ର ଛିଟା
ଚତୁର୍ଦ୍ଦିଗ ଶୁଷ୍କ ରୁକ୍ଷ ।।
ପତି ପତ୍ନୀ ମଧ୍ୟେ କଳହ ଲାଗିଲେ
ସନ୍ତାନର ବଢେ କଷ୍ଟ
ସଯତ୍ନ ଅଭାବେ ଅବହେଳିତ ସେ
ଜୀବନ ତାହାର ନଷ୍ଟ ।।
ମୁଖିଆ କଥାକୁ ନ ମାନିଲେ କେହି
ପରିବାରେ ଶାନ୍ତି ଭଙ୍ଗ
ସ୍ଵେଚ୍ଛାଚାରିତାର ହାଟ ବସେ ନିତି
ପଡୋଶୀ କରନ୍ତି ବ୍ୟଙ୍ଗ ।।
>
ବଡକୁ ପଚାରି ସାନଠୁ ବିଚାରି
କର୍ମାରମ୍ଭ ଯଦି କର
ସହଜ ସରଳ ଜୀବନର ଖେଳ
ଦୁଃଖ ଶହେ କୋଶ ଦୂର ।।
ଚଳିଯାଇ ନିଜେ ଚଳେଇ ନେଲେ ଯେ
ଦୁନିଆଟା ମିଠା ମିଠା
ସମ୍ପର୍କଟା ସଦା ସୁରଭିତ ସ୍ମୃତି
ସିନ୍ଦୁକ ସାଇତା ମଠା ।।
ପ୍ରଗତି ଉନ୍ନତି ଅସମ୍ଭବ ଅତି
ବୁଝାମଣା ଭୂଲ୍ ହେଲେ
ବିକାଶର ଵାଟ ସମ୍ମୁଖେ କବାଟ
କି ଲାଭ ଯେ ପୁଞ୍ଜି ଥିଲେ ।।
ପ୍ରତି ଭିନ୍ନତାର ଭିନ୍ନ ଭିନ୍ନ ସ୍ଵର
ଭିଆଇଛନ୍ତି ଈଶ୍ୱର
ଧିରସ୍ଥିର ଚିତ୍ତେ ଵୁଝାଇ ପାରିଲେ
ସର୍ଵେ ହେବେ ଆପଣାର ।।
ସହନଶୀଳତା ବଢାଏ ଏକତା
ମମତ୍ଵଵୋଧର ଵାସ୍ନା
ସାତପର ମଧ୍ୟ ଲାଗନ୍ତି ନିଜର
ସତେକି ଶୀତଳ ଜ୍ୟୋତ୍ସ୍ନା ।।