ତୁମ ଗାଆଁ
ତୁମ ଗାଆଁ
ତୁମ ଗାଁ ନଈ ପାଖ ଝାଉଁ ବଣ ବାଆ
ମୋ ଗାଆଁ କୁ ଅସେ ଯେବେ ସୁଲୁ ସୁଲୁ ତାହା
ମୋ ପଣତ ଉଡ଼େ ଫରଫର ଲଗାମ୍ ଛାଡ଼ି
ମୋ କବରିରେ ଛନ୍ଦି ହୁଏ ସେ ଜାବୁଡ଼ି ।
ବାଟ ଥିଲା ଅଙ୍କା ବଙ୍କା ହିଡ଼ ଖାଲ ଢିପ
ଦୁଇ ପାଖ ଜମିରୁ ଆସୁଥିଲା ଶସ୍ୟର ମହକ
ପ୍ରଜାପତି ଉଡ଼ୁଥାନ୍ତି ଶୋରିଷ ଫୁଲରେ
ଭଅଁର ଗୁଞ୍ଜନ କରେ ଅମ୍ବରି ଲଟିରେ ।
କୁମାର ପୂର୍ଣ୍ଣିମା ଦିନ ଷୋଡ଼ଶୀ ଅଳସି
ମନଜିଣା ବରମାଗେ ଆକାଶକୁ ସାଖି ରଖି
ଝରକା ଫାଙ୍କରେ ଦିସେ ଜହ୍ନର ଜୋଛନା
ତୁମ କଥା ଭାବି ଟିକେ ହୁଏ ଆନମନା ।
ଗାଇଗୋଠ ଫେରି ଆସେ ସଞ୍ଜ ନଇଁ ଗଲେ
ତୁମ ଗାଆଁ ଶଙ୍ଖ ଶୁଭେ ଆଳତୀ ବେଳାରେ
ଚୈତ୍ରର ପହିଲି ବର୍ଷା ମୋ ଗାଆଁ ଛୁଇଁଲେ
ବେଙ୍ଗ ବେଙ୍ଗୁଲି ବାହାଘର କଥା ମନେପଡ଼େ ।
ସ୍କୁଲ ଘଣ୍ଟା ବାଜେ ଯେବେ ମନେ ହୁଏ ଶଙ୍କା
ମୋ ଗାଆଁରୁ ସ୍କୁଲରୁ ପାଦ ବଢ଼େ ନହକା ନହକା
ସେଇଠୁ ହୋଇଛି ସୃଷ୍ଟି ମୋ ଇତିହାସ
ଗାଁ କୁ ମୁଁ ଦୌଡ଼ି ଯାଏ ମିଳିଲେ ଅବକାଶ ।
ତୁମ ଗାଆଁ ଆକାଶ ରେ ଜହ୍ନ ଯେବେ ରୁଷେ
ମୋ ଗାଆଁ ତା ଯୋଛନାରେ ସାରା ରାତି ହସେ
ତାରାଙ୍କ ମେଳରେ ଯେବେ କାହା ମୁହଁ ଦିଶେ
ଝରକା ଫାଙ୍କରେ ମୁଁ ଲୁଚି ଲୁଚି ହସେ ।