STORYMIRROR

Pratima Satpathy

Classics

4  

Pratima Satpathy

Classics

ଉତ୍କଳମଣି ଗୋପବନ୍ଧୁ ଦାସ

ଉତ୍କଳମଣି ଗୋପବନ୍ଧୁ ଦାସ

2 mins
329


ଅଠରଶହ ସତୋସ୍ତରୀ ମସିହା

    ଅକ୍ଟୋବର ନଅ ଦିନ 

ପୁରୀ ଜିଲ୍ଲା ଭାର୍ଗବୀ ନଦୀ କୂଳରେ 

   ଗ୍ରାମ ସୁଆଣ୍ଡୋ ଶାସନ।

ପିତା ଦଇତାରୀ ମାତା ସ୍ୱର୍ଣ୍ଣମୟୀ

   କୋଳକୁ ମଣ୍ଡନ କରି

ଜନ୍ମନେଇଥିଲ ଦିନ ଦୁଃଖି ବନ୍ଧୁ

   ଗୋପବନ୍ଧୁ ନାମ ଧରି।

ତୁଳସୀ ଦୁଇ ପତ୍ରୁ ବାସିଲା ପରି

   ଛୋଟ ବେଳୁ ତୁମଗୁଣ 

ବାସୀ ମହକିଲା ଉତ୍କଳ ପ୍ରଦେଶେ

   ଯେହ୍ନେ ସୁଗନ୍ଧ ଚନ୍ଦନ।

ବାଲ୍ୟ ବୟସରେ ମାତା ଚାଲିଗଲେ

    ପିଉସୀଙ୍କର ପାଖରେ

ପ୍ରାଥମିକ ଶିକ୍ଷା ରୁପଦେଇ ପୁର

   ତା ପରେ ଜିଲ୍ଲା ସ୍କୁଲରେ।

ରେଭେନ୍ସାରେ ସ୍ନାତକ ପଢା ବେଳେ

    ଛାଡ଼ି ଚାଲିଗଲେ ପିତା

ଏହି ସମୟରେ ଓଡିଆ ଭାଷାର

   ବିଲୋପର ଥିଲା ବାର୍ତ୍ତା।

ବି ଏଲ୍ କରିବା ବେଳେ ଧର୍ମ ପତ୍ନୀ

    ଛାଡ଼ିଦେଲେ ଇହ ଧାମ

ଧୈର୍ଯ୍ୟ ଧରି ସବୁ ସହ୍ୟ କରିନେଲ

   କରୁଥିଲ ଭଲ କର୍ମ।

କର୍ତ୍ତବ୍ୟବୋଧିନୀ ନାମେ ସଂଗଠନ

    ଗଢ଼ି ଆନ୍ଦୋଳନ କଲ

ଅସହଯୋଗ ଆନ୍ଦୋଳନକରିଣ

    କାରାବରଣ କରିଲ।

ଇଂରେଜଙ୍କ ଠାରୁ ଲାଠି ମାଡ଼ ଖାଇ

    ଲହୁ ଲୁହାଣ ହୋଇଲ

ସେଥିପାଇଁ ମନରେ ଦୁଃଖ ନ କରି

    ଦେଶ ସେବାରେ ଲାଗିଲ ।

ଉତ୍କଳ ଗୌରବ ମଧୁସୁଦନଙ୍କ

    ଉତ୍କଳ ସମ୍ମିଳନୀରେ

ଯୋଗ ଦେଇଥିଲ ହେ ଦେଶ ସେବକ

    ଓଡିଶା ଜନ ସେବାରେ।

ହଜାରି ବାଗର ଜେଲଭିତରେ ଯେ

     କାରା କବିତା ରଚନା

ବନ୍ଦୀର ଆତ୍ମକଥାକୁ ଲେଖିଥିଲ

    ନିଜେ ଅନୁଭବୀ ସିନା।

ଧର୍ମପଦ, ନଚିକେତା, ଗୋ ମାହାତ୍ମ୍ୟ

    ରଚି ଅବକାଶ ଚିନ୍ତା 

ପ୍ରକାଶିତ କଲ ସମାଜ ପତ୍ରିକା

    ଜାଳି ଆଲୋକ ବର୍ତ୍ତିକା।

ବନ୍ୟା, ବାତ୍ୟା,ମରୁଡି, ଦୁର୍ଭିକ୍ଷ ବେଳେ

    ଚୁଡ଼ା ଓ ଚାଉଳ ଧରି

ଯେତେ କଷ୍ଟ ହେଉ ପହଞ୍ଚୁଥିଲ ଯେ 

    ଜୀବନର ବ୍ରତ କରି।

ତୁମ ପରି କିଏ ତ୍ୟାଗ ବଳିଦାନ

    କେବେ ଦେଇ ପାରିବେନି

ମିଶୁ ମୋର ଦେହ ଏ ଦେଶ ମାଟିରେ

    କେହି କହି ପାରିବେନି।

ଦେଶର ସ୍ଵରାଜ୍ୟପଥର ଗାଡ଼ରେ

    ପଡ଼ି ମୋର ହାଡ଼ ମାଂସ 

ପୁର୍ଣ୍ଣ ହୋଇଯାଉ କିଏ ସେ କହିବ

    ଅଛି କେ ମହାପୁରୁଷ।

ସାହିତ୍ୟ ଆକାଶେ ଧ୍ରୁବତାରା ତୁମେ

    ଭାଷାର ପ୍ରସ୍ତର ଦେଇ

ଗଢ଼ି ଯାଇଅଛ କାବ୍ୟର କୋଣାର୍କ

    ରହିଛି ଯାଜ୍ଜୁଲ୍ୟ ହୋଇ।

ବକୁଳ ବନର ଛୁରିଅନା କୁଞ୍ଜେ 

    ଗଢ଼ି ବନ ବିଦ୍ୟାଳୟ 

ପଞ୍ଚସଖା ମିଶି ଶିକ୍ଷା ଦାନ ଦେଲ 

    ଓଡିଆ ହେବେ ଶିକ୍ଷିତ।

ଦିନ ଦରିଦ୍ରର ବନ୍ଧୁ ଗୋପବନ୍ଧୁ

   ଉତ୍କଳ ମଉଡମଣି

ମାତୃଭାଷା ପାଇଁ ତୁମ ଅବଦାନ

    କେହି ଭୁଲି ପାରିବେନି।

ଓଡ଼ିଆଙ୍କ ଦୁଃଖ ଦେଖି ପାରିଲନି

   ଓଡ଼ିଆ ଶ୍ରମିକ ସଂଘ

ସାନ୍ଧ୍ୟ ବିଦ୍ୟାଳୟ ଗଠନ କରିଲ

    ଦେଖି ଓଡ଼ିଆଙ୍କ ଦୁଃଖ।

ଚୀର ସ୍ମରଣୀୟ ପୂଜ୍ୟ ଗୋପବନ୍ଧୁ

    ଫେରି ଆସି ଦେଖିଯାଅ

ତୁମରି ଉତ୍କଳ ଜନନୀ କାନ୍ଦୁଛି

    ଝରାଇ ଆଖିରୁ ଲୁହ।

 ଦୁଃଖି ରଙ୍କୀଙ୍କର ଲୁହ ପୋଛୁଥିଲ

    ନିଜର ଖାଦ୍ୟକୁ ଦେଇ

ମାଆ କାନ୍ଦୁଅଛି ତୁମରି ସୁନ୍ଦର

   ସ୍ମୃତିକୁ ମନେ ପକାଇ।

ଦେଶ ସେବା ପାଇଁ ନିଜ ଜୀବନକୁ

    ଉତ୍ସର୍ଗ କରି ଯେ ଥିଲ

ଏବେ ସେବାବୃତ୍ତି ଭୁଲିଯାଇ ନେତା

    ନେବାକୁ ପାଆନ୍ତି ଭଲ।

ଉଣେଇଶିଶ ଅଠେଇସି ମସିହା

    ଜୁନ୍ ସତର ତାରିଖ 

ନିର୍ବାପିତ ହେଲା ଜୀବନ ସଳିତା

    ଉତ୍କଳ ହେଲା ନିର୍ବାକ

ପର ଉପକାର ସମାଜ ସେବାରେ

    ନିୟୋଜିତ ହୋଇ ଥିଲ

ଆଉ ଥରେ ଜନ୍ମ ନିଅ ଉତ୍କଳରେ

   ଝୁରୁଛି ମାଆ ଉତ୍କଳ।।


Rate this content
Log in

Similar oriya poem from Classics