STORYMIRROR

Chinmaya Kumar Nayak

Abstract Classics

3  

Chinmaya Kumar Nayak

Abstract Classics

ଦୀପାବଳୀ

ଦୀପାବଳୀ

1 min
157

ଜଳିଉଠେ ଦୀପମାଳା ରାତିକ ପାଇଁ

ଅଗଣାକୁ ଆଲୋକିତ କରି

ଆଖିଝଲସା ଆଲୁଅ ଭିତରେ କିନ୍ତୁ

ଅନ୍ଧାରର ଅଟ୍ଟହାସ୍ୟ ପ୍ରକମ୍ପିତ ହୁଏ

ଅମାବାସ୍ୟାର ତିର୍ଯ୍ୟକ ହସରେ

ମିଳେଇ ଯାଏ ଅହଂତ୍ୱର ନକଲି ବଡ଼ିମା।


ମିଷ୍ଟାନ୍ନର ଭିଡ଼ ଭିତରେ କିନ୍ତୁ

ଶୁଖିଯାଏ ମନ ଭିତରର ମଧୁଝରା ପାତ୍ର

ଶିରା ପ୍ରଶିରାରେ କିନ୍ତୁ ବହିଯାଏ 

ମଧୁରତାର ତିକ୍ତ କଣିକା

କେଉଁଠି ପ୍ରାଚୁର୍ଯ୍ୟ ଭିତରେ ଅବହେଳିତ ହୁଏ

ଭୋକର ଉଦବେଳିତ ତୃଷ୍ଣା

କିଛି ଘର ଦେଇପିଣ୍ଡିରେ ଗଡ଼ୁଛି ଭୋକିଲା ବାସନ।


ଅନ୍ଧାରର ମେଘନାଦ ପାଚିରି ଭିତରେ

ମିଞ୍ଜି ମିଞ୍ଜି ଆଲୁଅ ଭିତରେ

ଆଶା କିନ୍ତୁ ମରେନାହିଁ ଆଶଙ୍କା ଭିତରେ

ବଡ଼ବଡୁଆଙ୍କୁ ଅନ୍ଧାରରେ ଡାକି 

ଆଲୁଅରେ ଫେରାଇବାର ପ୍ରତିବଦ୍ଧତା

କାହିଁକି କେଜାଣି ହାସ୍ୟାସ୍ପଦ ଲାଗେ

କାଉଁରିଆ କାଠି ଜଳିଗଲା ପରେ

ପୁଣି ଫେରିବାକୁ ହୁଏ ଜୀବନର ଅନ୍ଧାରୀ କୋଣକୁ।


ଘନକୃଷ୍ଣ ଆକାଶରେ ହଜିଯାଏ

ଗୋଟି ଗୋଟି ସାଉଁଟି ଥିବା ସ୍ୱପ୍ନିଳ ଶାମୁକା

ବିଳମ୍ବିତ ପ୍ରହରରେ ମୃତ ସଳିତା ଭିତରୁ

ଉଠିଆସେ ଅବଶୋଷର ଧୂମ୍ର କୁଣ୍ଡଳୀ

ଧୂଆଁଳିଆ ଆକାଶରେ ଝାପ୍ସା ଦିଶେ

ଉଦ୍ଦେଶ୍ୟ ଓ ଆଦର୍ଶର ନବ ପରିଭାଷା

ଦୀପାବଳୀ ସାରିଯାଏ କିଛି ଧନୀ ହୃଦୟରେ

ଉତ୍ସବର ସ୍ମୃତିଟିଏ ଛାଡ଼ି।


ଭାବ ଜଳିଯାଏ ଅଭାବର ନିଃସର୍ତ୍ତ ଦୁଆରେ

ଛିଣ୍ଡା ସମ୍ପର୍କରେ ବି ଘୁଞ୍ଚେନା ଅନ୍ଧାର

କାଲି ଯାହା ଥିଲା କାଲି ବି ସେମିତି ରୁହେ

ଏ ଦୀପାବଳୀ ଆଣି ପାରେନା

ପରିବର୍ତ୍ତନର କିଛି ନୂତନ ସମ୍ବାଦ। 


ତଥାପି ସେ ଲହ ଲହ ଶିଖା କିନ୍ତୁ

କହିଯାଏ ଅନେକ କାହାଣୀ ଲିଭିବା ଆଗରୁ

ଆତ୍ମାହୁତି ଦେଲା ପରେ ଚେତେନି ମଣିଷ

ଆଖିଆଗେ ନିତି ଦେଖି ଅନେକ ସମାପ୍ତି

ନିଜେ ଜଳି ଜାଳିଦିଏ ଅନେକ ସଂସାର। 


ଉତ୍ସବ ଆଳରେ ହେଉ ପଛେ ତେଜିଉଠେ

ଅନ୍ଧାରରୁ ଆଲୋକକୁ ଯାତ୍ରା ଅଭିଳାଷ

ଦୀପାବଳୀ ନେଇ ଆସୁ ଆଲୋକର ଜାଗ୍ରତ ସନ୍ଦେଶ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract