ତୁମ ବାଟ ଅଛି ଚାହିଁ
ତୁମ ବାଟ ଅଛି ଚାହିଁ
ପ୍ରୀତିପର୍ଣ୍ଣା ପ୍ରାଣ ମୋର ତୁମ ବାଟ ଅଛି ଚାହିଁ
ଆସ ଥରେ କେବେ ତୁମେ ପ୍ରୀତିର ପସରା ନେଇ
ମିଠା ରାଗ ଅଭିମାନେ ବସିଥିବି ପାଶେ ମୁହିଁ
ତୁମେ ଅଳି କରୁଥିବ ମାନ ତେଜ ପ୍ରାଣସହୀ ।
ଆଙ୍କିଦେଵ ଚୁମ୍ବନଟେ ସରାଗରେ କୋଳେନେଇ
ଭିଜୁଥିବି ନୀରବରେ ତୁମ ମିଠା ସ୍ପର୍ଶ ପାଇ
ଆଖିପତା ଧୀରେ ଧୀରେ ଯାଉଥିବ ଲାଜେ ନଇଁ
କୁଳ ଲଂଘୁଥିବ ପ୍ରୀତି ଯଉବନ ସୀମା ଡେଇଁ ।
ମିଠା ମିଠା ଦୁଷ୍ଟାମୀରେ ବଶୀଭୂତ କରିଦେଇ
ପାଶେ ଟାଣି ନେଉଥିବ ପ୍ରୀତିର ଗଜଲ ଗାଇ
ଓଠେ ସ୍ମିତହାସ୍ୟ ଟାଣି ଛାତିତଳେ ଲୋଟିଯାଇ
ପ୍ରତୀକ୍ଷିତ ଅବଶୋଷ ମେଣ୍ଟିଯିବ କ୍ଷଣ ପାଇଁ ।
ସମ୍ପର୍କର ପ୍ରତିଶ୍ରୁତି ପ୍ରୀତି ଫଲ୍ଗୁ ବୋଳିଦେଇ
ସ୍ୱପ୍ନଝରା ଦୁନିଆରେ ଚାଲୁଥିବା ସାଥି ହୋଇ ।