ତୁମ ଆଗମନେ ବର୍ଷା ଋତୁ
ତୁମ ଆଗମନେ ବର୍ଷା ଋତୁ
ତୁମ ଆଗମନେ ବରଷା ଋତୁ
ଶ୍ରୀମତୀ ଶାନ୍ତିଲତା ମିଶ୍ର
ଆସିଗଲ ସିନା ତୁମେ ଋତୁରାଜଙ୍କ ନିର୍ଦ୍ଦେଶେ
ଧରାଧାମ ବୁଲିବାକୁ
କାହାକୁ ହସାଇବ, କାହାକୁ କନ୍ଦାଇବ
(ଅନୁରୋଧ) ହିସାବ ରଖିବାକୁ ।
ଝିପି ଝିପି ଏଇ ବର୍ଷଣ ସନ୍ଧ୍ୟାରେ
ଅବିରାମ ତୁମ ମୃଦୁ ଗତି
ଭାବନା ରାଇଜେ ମନ ଉଡିଯାଇ, ଭାବେ
ବଢି ଯାଆନ୍ତା କି ରାତି !
ଶୁଣୁଥାନ୍ତି ଏଇ ରିମ୍ ଝିମ୍ ଗୀତ, ସେଇ ମନ
ସେଇ ଉତ୍କଣ୍ଠା ନେଇ
ଯାହା ହଜାଇ ଦେଇଛି ସମୟ ସ୍ରୋତରେ
ଫେରି ପାଇବାର ଆଶା ନାହିଁ ।
ଶୀତୁଆ ପବନ, ଶିହରାଇ ମନ, ଦୋହଲାଇ ଯାଏ
କେତେ ଯୁଗର ଭାବନା
ଅଡୁଆ ତଡୁଆ ସ୍ମୃତି ଭିତରେ, ମନ ଛନ୍ଦି ହୁଏ
ହୋଇଯାଇ ଆନମନା ।
ମନେ ଅଛି କା’ର ଉଷୁମ କୋଳରେ ଶୋଇ
ଶୁଣୁଥିଲି ନାନାବାୟା ଗୀତ
ପେଡି ଫିଟିଥାଏ ଆଈ ଅଜାଙ୍କର, ରାଜାପୁଅ
ଆଉ ବୁଢୀ ଅସୁରୁଣୀ ଗପ ।
ବର୍ଷା ପାଣି ସ୍ରୋତେ ଅମାନିଆ କାଗଜ ଡଙ୍ଗାଟା
ଭାସେ ଏଣେ ତେଣେ ଯାଇ
ପୋଖରୀ ଭିତରେ ପଶି ତୋଳା ହୁଏ କେତେ
ନାଲି, ହଳଦିଆ, ନୀଳ କଇଁ ।
ସେଇ ମନ ଅଛି, ,ସେ ଜୀବନ ଅଛି, କିନ୍ତୁ
ସେଇ ଉନ୍ମାଦନା ଆଉ ନାହିଁ
ଯାହା ପାଇଁ ମନ ଏବେ ବି ଝୁରୁଛି ଲୁଚି ଲୁଚି,
ସେଇ ପିଲାଦିନ ପାଇଁ ।
ସାଙ୍ଗସାଥୀଙ୍କର ପାଣି ଫିଙ୍ଗା ଫିଙ୍ଗି ଖେଳ
ମନେ ପଡିଗଲେ ଲାଗେ ହସ
ସେଇଥିରେ ଥିଲା କେତେ ସ୍ନେହ ଶ୍ରଦ୍ଧା, କେବେ
ଅଭିମାନ ରାଗରୋଷ ।
ତୁମ ଆଗମନେ ତ୍ୱରାନ୍ୱିତ ହୁଏ, କାଳଜୟୀ
ସେଇ, ପ୍ରେମୀ ପ୍ରେମିକାଙ୍କ ପ୍ରେମ
ଟାଣି ହୋଇଯାନ୍ତି ଚୁମ୍ବକ ପରାୟେ, ଛାଡି
ଦେଇ ଘରଦ୍ୱାର ସବୁ କାମ ।
ଅପଲକେ ରହି ଚାତକିନୀ ଧରା, ତୁମ
ଆଗମନେ ସ୍ୱାଗତ ଗୀତିକା ଗାଏ
ଯାହା ଘର ଭାସେ ବର୍ଷାର ପ୍ରବଳ ସ୍ରୋତରେ
ସେ ତ ପ୍ରଶ୍ନବାଚୀରେ ଚାହେଁ ।
ଯିଏ କଷ୍ଟ ପାଏ, ସିଏ ନିନ୍ଦୁଥାଏ, ଲୁହଭରା
ଆଖିରେ, ତୁମକୁ ତ ଅହର୍ନିଶୀ
ଅଭିସଂପାତରେ ଭରି ଦେଉଥାଏ, ସାତପୁରୁଷ
ଉଝାଳି, କହି ସର୍ବନାଶୀ ।
ତୁମର ଆସିବା ଅଛି ଆବଶ୍ୟକ, ଏ ଧରା ପୃଷ୍ଠକୁ
ହସୁ ଅବା କିଏ କାନ୍ଦୁ
ସୃଷ୍ଟିକର୍ତ୍ତାଙ୍କର ସର୍ଜନା କେବେ ନୁହେଁ ନିରର୍ଥକ
କିଏ ଶତୃ ଭାବୁ ଅବା ବନ୍ଧୁ ।
କାହା ପାଇଁ ତୁମେ ନିନ୍ଦନୀୟ ସତ
କାହା ପାଇଁ ସ୍ମରଣୀୟ
ତଥାପି ଆସିଛ, ଆସୁଛ, ଆସିବ ଧରାକୁ
ଏ ତ ବିଧାତାଙ୍କର ନିର୍ଣ୍ଣୟ ।
-0-
shantimishra@hotmail.com