ତୁଳସୀ ରସିଆ ଜଗା କାଳିଆ
ତୁଳସୀ ରସିଆ ଜଗା କାଳିଆ
ତୁଳସୀ ରସିଆ ମୋ ଜଗା କାଳିଆ
ତୁଳସୀ ମସ୍ତକେ ସାଜେ
ଯେତେ ଅଳଙ୍କାର ଲଦି ହୋଇଲେ ବି
ତୁଳସୀ ତୁଳସୀ ଖୋଜେ ।
ଜଗତ ହିତରେ ଜଳନ୍ଧର ବଧି
ଅନ୍ୟାୟ ସ୍ଵୀକରୀ ଥିଲୁ
ବୃନ୍ଦା ଅଭିଶାପ ମୁଣ୍ଡ ପାତି ପରା
ହୃଦୟୁ ସ୍ଵୀକାର କଲୁ ।
ତୁଳସୀ କୁ ଦେଲୁ ଏମିତି ସମ୍ମାନ
ତା ବାସେ ମଜ୍ଜି ରହିଛୁ
ମଥାରେ ତୋହର ତୁଳସୀ ନଦେଲେ
ମୁହଁ ଶୁଖାଇ ବସୁଛୁ ।
ତୁଳସୀ ରସିଆ ତୁଳସୀର ମାଳା
ଗଳାରେ ଯଦି ନଥାଏ
ବେଶ ପରା ତାର ଅଧୁରା ଲାଗଇ
ଲାଗେ ରୁଷି ବସି ଥାଏ ।
ତୁଳସୀ ରସିଆ ତୁଳସୀ ନଥିଲେ
ମଣୋହି ଯେ କରେନାହିଁ
ଖାଦ୍ୟ ପାଖରେ ବି ତୁଳସୀ ପାଇଁ କି
କାଳିଆ ଝୁରି ମରଇ ।
ତୁଳସୀ ବାସରେ ମହ ମହ ବାସେ
ତୁଳସୀ ରସିଆ ଜଗା
ରାଜରେ ସାଜରେ ଖାଇବା ଥାଳିରେ
ତୁଳସୀ ତାହାର ଖୋଜା ।
ତୁଳସୀ ରସିଆ ରୁଷିବନି ବୋଲି
ତୁଳସୀ ତା ପାଇଁ ଖଞ୍ଜା
ଝଡ଼ ବରଷା କି ଝାଇଁ ଖରା ହେଉ
ତୁଳସୀ ଆସିବା ସାରା ।
ତୁଳସୀ ରସିଆ ମୋ ଘନ କାଳିଆ
ସ୍ୱୀକାରୋକ୍ତି ଶିଖାଇଛି
ଶତ୍ରୁ ପକ୍ଷ ଅବା ମିତ୍ର ପକ୍ଷ ଭୁଲି
ମର୍ଯ୍ୟାଦା କଥା କହିଛି ।
ତୁଳସୀ ରସିଆ ଭାବ ବିନୋଦିଆ
ରାସ ତୁ ଲଗାଇ ଥାଆ
ତୁଳସୀ କୁ ନେଇ ରତ୍ନସିଂହାସନେ
ଜଗତକୁ ଚାହିଁ ଥାଆ ।
