ତୁ ,ତୁମେ ଓ ଆପଣ
ତୁ ,ତୁମେ ଓ ଆପଣ
କେମିତି କହିବି କେମିତି ଲେଖିବି ?
ଭାବି ପାରୁନାହିଁ କି ଭାବରେ ଡୁବିବି ?
ସବୁ ତ ଦେଖୁ ତୁ ,ସବୁ ବୁଝି ପାରୁ ହେ ଚକାଆଖି ,
ତୋ ଆଖି ଦେଖି ମୋ ମନ ଯାଏ ଲାଖି ,
ଏତେ ବଡ ଆଖି ସବୁ ତ ଦେଖୁଛି ,
ତା ଭିତରେ ସବୁ ସେ ସାଇତି ରଖିଛି ,
ତୋ ଆଖି ସମାନ କିଏ ହବ ଏବେ କହ ,
କାହିଁକି ମୋ ଆଖିରେ ତୁ ଦେଲୁ ଏତେ ଲୁହ ?
ତୋ ଆଖିରୁ ତ କେବେ ଝରୁ ନାହିଁ ଲୁହ ,
କିବା ଝରି ସୁଖିଯାଏ,କେମିତି ଜାଣିବି କହ ?
ଯଦି ପାରୁ ନେଇଯା କିଛି ଲୁହ ମୋର ,
ତୁ ପରା ଅଟୁ ଆମ ଜଗତର ଠାକୁର ,
ରାଗିବୁନି ତୋତେ ତୁ ବୋଲି ମୁଁ କହିଲି ,
ଏବେ ସବୁ କିଛି ମୁଁ ତୋ ଉପରେ ଛାଡ଼ିଲି ।।
ଏତେ ଡାକ ଏତେ ହୁରି ଶୁଣୁନା କି ପ୍ରଭୁ ,
ତୁମେ ଜଗତର ନାଥ ତୁମେ ତ ମହାବାହୁ ,
ତୁମ ଦେଉଳରେ ଥାଇ ଭାଇ ଭଉଣୀ ସଙ୍ଗେ ,
ଭୁଲିଛ କି ତୁମେ ଭକ୍ତର ଡାକ ଏବେ ,
କିବା ତୁମେ ପ୍ରଭୁ ହେଲ ସ୍ୱାର୍ଥପର ,
କରିଦେଲ ଏବେ ଏ ଭିକାରି କୁ ପର ,
କିବା କଲ ତୁମେ ସତେ ମାନ ଅଭିମାନ ,
କେମିତି ଭାଙ୍ଗିବ ତୁମ ମାନ କୁହ ଏ ଦୀନହୀନ ?
ପୂଜା ଜାଣି ନାହିଁ ମନ୍ତ୍ର ଶିଖି ନାହିଁ ,
ତୁମ ବିନା ପ୍ରଭୁ ଏ ଦୁନିଆରେ ମୋର କେହି ନାହିଁ ,
ତୁମେ ତ ପ୍ରଭୁ ଦୟାର ସାଗର ,
ଘେନ ମୋ ପ୍ରଣାମ ଦେଉଛି ତୁମ ପୟର ,
ତୁମେ ବୋଲି ସମ୍ବୋଧନ କଲି ବୋଲି ,
ରାଗ ନାହିଁ ପ୍ରଭୁ ,ଦିଅ କିଛି ତୁମ ପାଦ ଧୂଳି ।।
ହେ ପରଂବ୍ରହ୍ମ ଆହେ ପ୍ରଭୁ ନାରାୟଣ ,
ଆପଣ ତ ବିଧାତା ରଚିଲେ ବିଧାନ ,
ଆପଣ ତ ସୃଷ୍ଟିକର୍ତ୍ତା ଆପଣ ସର୍ବେଶ୍ୱର ,
ଆପଣ ତ ପ୍ରାଣ ଦାତା ପାପୀଙ୍କୁ କରନ୍ତି ସଂହାର ,
ଆପଣ ତ ଦୁନିଆର ରାଜ ରାଜେଶ୍ୱର ,
ଧରିଛନ୍ତି ହାତେ ପ୍ରାଣୀଙ୍କର ଜୀବନର ଡୋର ,
ପାପ ପୁଣ୍ୟର ସବୁ କରନ୍ତି ତ ବିଚାର ,
ସଭିଏଁ ନିଜର ପୁଣି ଅତି ଆପଣାର ,
ବୃକ୍ଷ ଲତା ,ନଦୀ ନାଳ,ଜୀବ ଜନ୍ତୁ ବିଶାଳ ସାଗର ,
ସବୁ ତ ପ୍ରଭୁ ଅଟେ ରଚନା ଆପଣଙ୍କର ,
ଏତେବଡ଼ ଦୁନିଆରେ ଭିନ୍ନ ଭିନ୍ନ ରୂପ ଆପଣଙ୍କର ,
ତା ଭିତରେ ରହିଛି ମୁଁ ଯେ ଏକ ମନୁଷ୍ୟ ଛାର ,
ଅଜ୍ଞାନୀ ମୁଁ ଜାଣେନା କେମିତି ଦେବି ସମ୍ମାନ ?
ଭାବେ ଡୁବି କହେ"ତୁ ,ତୁମେ ଓ ଆପଣ ",
ସବୁ ଦୋଷ ଅପରାଧ କରୁଛି ସ୍ୱୀକାର ,
ଏ ତ ଲୀଳା ଚକାଆଖି ଜଗନ୍ନାଥ ପ୍ରଭୁ ନାରାୟଣଙ୍କର ।