ତୁ କଳା ସାଆନ୍ତ
ତୁ କଳା ସାଆନ୍ତ
ପତିତ ଜନଙ୍କୁ ଉଦ୍ଧାରିବା ପାଇଁ
ନୀଳ କନ୍ଦରରେ କରିଛୁ ଘର
ଥରେହେଲେ କେବେ ଭାବିନୁ ତୁ ଜଗା
କିଏ ତୋ ଆପଣା କିଏସେ ପର I
ଦୁଃଖ ନେଇ ସୁଖ ବାଣ୍ଟୁଛୁ କାଳିଆ
ତୋ ବଡଦାଣ୍ଡରେ ଦେଉଛୁ ସ୍ଥାନ
ଭକତଙ୍କ ମନେ ଖୁସି ଭରିଯାଏ
ଦେଖିଦେଲେ ତୋର କଳା ବଦନ I
ଚକାଚକା ତୋର ନୟନରେ କେବେ
ପତା ପଡିବାର ଦେଖିନି କେହି
କି ଯାଦୁ ଭରିଛୁ ସେ ଚକାଆଖିରେ
ସଭିଙ୍କର ମନ ନେଉଛୁ ମୋହି I
ତୋ ବଡ ଦେଉଳେ ଫରଫର କରି
ପତିତ ପାବନ ବାନା ଉଡାଇ
ତୁ ସାରା ଜଗତ ଉଦ୍ଧାର କରତା
ସଭିଙ୍କୁ ସଧୀରେ ଦେଉଛୁ କହି I
ପତିତଙ୍କ ପାଇଁ ବାମନ ରୂପେ ତୁ
ପ୍ରତିବର୍ଷ ବିଜେ ହେଉଛୁ ରଥେ
ଦରଶନ ଦେଇ ଭକତ ଜନଙ୍କୁ
ଟାଣି ନେଇଯାଉ ମୁକତି ପଥେ I
ଯୁଗ ଯୁଗଧରି ମଣିଷ ଜାତିର
ଆଶା ଭରସା ତୁ କଳା ସାଆନ୍ତ
ତୋତେ ଡାକି କେହି ନିରାଶ ହୋଇନି
ପ୍ରସାରି ଦେଇଛୁ ଅଭୟ ହସ୍ତ I