ଠିକା ଚାକିରିଆ
ଠିକା ଚାକିରିଆ
ଠିକାରେ ଚାକିରୀ ତାହାଠୁ ବେକାରୀ
ଅଟେ ଭାଇ ଶ୍ରେୟସ୍କର
ଗାଡି ଖର୍ଚ୍ଚ ପାଇଁ ଦରମା ଅଣ୍ଟେନି
ପାଉଛି ନଅ ହଜାର ।
ଦିନକୁ ଦରମା ତିନି ଶହ ଟଙ୍କା
ଚାଉଳ କିଲ ତିରିଶି
ପରିବାର ଦର ନ କହିଲେ ଭଲ
ଗ୍ରୋସରି ତାହାଠୁ ବେଶି ।
ଲାଇନ ମିଟର ଗ୍ୟାସର ଦର
କେବୁଲ ଓ ମୋବାଇଲି
ନ ହେଲେ ଚଳେନି ମୋର ଘରମଣୀ
ନିତି ଲଗାଏ ସେ କଳି ।
ରୁଷି କି ଗଲେଣି ମାସଟେ ହେଲେଣି
ଲେଉଟାଣି ତାର ନାହିଁ
ତାର କଡା ବାଣୀ ପୋଷି ପାରିବନି
ବାହା ହେଉଥିଲ କାହିଁ ।
ପୁଅ ଝିଅ ମୋର ନିତି ଗର ଗର
କନଭେଣ୍ଟ ପଢିବାକୁ
ଅସୁବିଧା ମୋର କିଏ ବା ବୁଝିବ
କହିବି ବା ମୁଁ କାହାକୁ ।
ଘରେ ବଡ଼ଭାଇ ଦି ପଦ କୁହନ୍ତି
ତୋ କଥା ତୁହି ଯେ କଲୁ
ଚାକିରୀ କରିଲୁ ସ୍ୱାର୍ଥପର ହେଲୁ
ଘରକୁ କିଛି ନ ଦେଲୁ ।
ମୋର ଶଳା ଶାଳୀ ଫୋନ କରନ୍ତି
ନନା ଆସ ବୁଲିବାକୁ
ହଁଅ ହାଁଆ କହି ଚୁପ୍ ଚାପ୍ ରହି
ନିନ୍ଦେ ଫଟା କପାଳକୁ ।
ପୁନିଅଁ ପରବ ଆମର ଗୌରବ
ଶୁଣି ଶୁଖିଯାଏ ତଣ୍ଟି
ଖାଲି ମୂଷାଟିଏ ଗାତରେ ପଶୁନି
ଲାଙ୍ଗୁଳେ ବାନ୍ଧୁଛ ଘଣ୍ଟି ।
କେତେ ସାଙ୍ଗ ସାଥୀ ନିଇତି ଡାକନ୍ତି
ଯାଇ ମୁଁ ପାରେନି ସାଥେ
ଛୋଟିଆ ପଣତ ନିଅଣ୍ଟ ହୁଏ ତ
ମାପି ଚୁପି ଚାଲେ ପଥେ ।
କାମରେ କୋହଳ ନାହିଁ ତ ଆମର
ଆମେ ତ ଠିକା ଚାକର
ଅଭିଯୋଗ ଏଠି ଯେତେ ବାଢିଲେଟି
ଶୁଣେ ନାହିଁ ସରକାର ।
