ଠିକ୍ ଥିଲେ ଠିକଣା
ଠିକ୍ ଥିଲେ ଠିକଣା
ଠିକ୍ ଥିଲେ ଠିକଣା
ହୁଏ ନାହିଁ କେହି ବାଟବଣା
ଏକ ଲକ୍ଷ୍ୟ ନେଇ ଚାଲିଥାଏ ଜଣେ
ପାଇ ଉତ୍ସାହ ପ୍ରେରଣା
କିଛି ଅଜଣା ପଡ଼ିଯାଏ ଜଣା
ହୁଏ ନାହିଁ କେବେ ମନ ଊଣା
ପାଇବାର ମିଳେ ପାଉଣା ।।
ଠିକ୍ ନଥିଲେ ଠିକଣା
କେବେ କେବେ ହଜିଯାଏ
ନିଜର ବି ସ୍ଥାୟୀ ଠିକଣା
ଭୋଗିବାକୁ ହୁଏ ନା ନା ଯନ୍ତ୍ରଣା
ଆଖି ଥାଇ ହେବାକୁ ପଡ଼େ
ବେଖିଆଲ୍ ରେ ଅନ୍ଧାରକଣା
ନିଜ ସାଥେ ନିଜେ କରି ପ୍ରତାରଣା
ହଟି ବି ହଟାଇ ହୁଏନା ଦୁର୍ଭାବନା
ମରୀଚିକା ପାଲଟେ ସମ୍ଭାବନା
ବାସ୍ତବତା ଖୋଜି ମିଳେନା
ଭୁଲି ଗଲେ ସମୟର କଟକଣା ।।
ଠିକ୍ ଥିଲେ ଠିକଣା
ଉତ୍ତମ ରହେ ମନର ବୁଝାମଣା
ଶଙ୍କା ସନ୍ଦେହ ଆଦୌ ଆସେନା
ବିଶ୍ଵାସ କରେ ନାହିଁ ପ୍ରବଞ୍ଚନା
ଅତୁଟ ରହେ ଭରସା ନଥାଏ ଛଳନା
ଦୂର ହୋଇଯାଏ ଯେତେ ବାହାନା
କଷ୍ଟ ଆଉ ଭୋଗିବାକୁ ହୁଏନା
କାମ ଦିଏ ନାହିଁ କୁମନ୍ତ୍ରଣା
ଏକାଗ୍ରତାର ଆସେ ଧ୍ୟାନ ଧାରଣା
ହୃଦୟରୁ ଝରେ ଅମୃତ ଝରଣା
ହଟିଯାଏ ଚଲାପଥରୁ ତୁଚ୍ଛ କାମନା
ମିଳେ ସାର୍ଥକତାର ସମ୍ବର୍ଦ୍ଧନା
ଠିକ୍ ଥିଲେ ଠିକଣା।
