ତଥାପି
ତଥାପି
କାଳେ କାଳେ ନାରୀଟିଏ
ଭାଗ ଭାଗ ହେବାର
ଭାଗ୍ୟ ଭୋଗୁଥାଏ
ନିରବରେ
ପରସ୍ତ ପରସ୍ତ
ପ୍ରଶ୍ନର ଇସ୍ତାହାରରେ
ଆକ୍ତାମାକ୍ତା ହୃଦୟଟିଏକୁ
ସଯତ୍ନେ ସମ୍ଭାଳୁଥାଏ
କେବେ ଦେବୀହେଇ
ପୂଜାପାଏ
ପୁଣି କେବେ ମାନବୀହେଇ
ମୁହୁର୍ମୁହୁ ଆତ୍ମାରେ ଆତ୍ମାରେ
ଧର୍ଷିତ ହେଉଥାଏ
କେବେ ପୁଣି ଲୁହ ପିଇ
କେବେ କୋହ ଢୋକି
କେତେନାକେତେ
ଦାୟ ସମ୍ଭାଳୁଥାଏ
କାଳିମାରେ
କଳା ମଚ୍ ମଚ୍ ହେବାପରେ
ଧାରେ ଶୂଭ୍ର ହସ ଆଙ୍କିବାର
ସଫଳ ଅଭିନୟରେ
ମୁହୂର୍ତ୍ତରୁ ମୁହୂର୍ତ୍ତ ଜଳୁଥାଏ
ନାରୀଟିଏ ସଭିଙ୍କର
ତା'ର କେହିବି ନଥାଏ ନିଜର
ତଥାପି , ତଥାପି
ନିତି ନିତି ମଉଳୁଥିବା ଫୁଲପାଖରେ
ନୂଆ ଆଶାର କଢଟିଏ
ପାଖୁଡା ମେଲୁଥାଏ ।