ପରବ
ପରବ
ପରବ
ସକାଳୁ ସକାଳୁ
ଝରକା ମେଲିଦେଲି
ଦଲକାଏ କାଲୁଆ ପବନ
ବଡ ସଂଭ୍ରମରେ ପଶିଆସିଲା
ତ ଶୀତ ବଢିଗଲା ।
କଲେଜରେ ପାଠ ପଢୁଥିବା
ଶାନ୍ତ ସୁଧାର କୋମଳ ପିଲାଟା
ସବୁଦିନ ଭଳି
ସାମ୍ନା ଗେଟ୍ ପାଖ କୁହୁଡିଆ ରାସ୍ତାରେ
ବିନା ଶୀତ ବସ୍ତରେ
ପୁରୁଣା ସାଇକେଲ ଚଳାଉ ଚଳାଉ
କୌଶଳର ସହ ଦୈନିକ ଖବରକାଗଜ
ଫିଙ୍ଗିଦେଇଗଲା
ତ ଶୀତ ବଢିଗଲା ।
ଛକରେ ସକାଳୁଆ ସ୍କୁଲ ବସ୍ କୁ
ଅପେକ୍ଷା କରିଥିବା
ଗୁଲୁଗୁଲିଆ କୁନି ଝିଅଟି
ଟୋପି ସ୍ବେଟର୍ ସହ
ପିନ୍ଧିଥିଲା ବି ହାତ ପାଦରେ
ପଶମ ତିଆରି ମୋଜା
ଯେତେବେଳେ ଆଖିମିଶିଗଲା
ଫିକ୍ କିନା ହସିଦେଲା
ତ ଶୀତ ବଢିଗଲା ।
ସହରମୁଣ୍ଡ ଝୋପ୍ ଡି ବସ୍ତିରେ
ଥୁରୁଥୁରୁ ଓଠରେ ପାପୁଲିମେଲି
ନିଆଁ ଚାରିପାଖେ ବେଢିଥିଲେ
ସାରା ବସ୍ତିର ବୁଢାଠୁ ପିଲା
ତ ଶୀତ ବଢିଗଲା ।
କମ୍ବଳଭିତରେ ମୁହଁ ଲୁଚାଇଲାବେଳକୁ
ଘରସାରା ଖେଳିବୁଲୁଥିବା ଶୀତ
କୋଳଛୁଆପରି ପଶିଗଲା
ତ ଶୀତ ବଢିଗଲା ।
ଟିଭିରେ କାଲୁଆ ଦୃଶ୍ୟ ସହ
କାଲୁଆ ବାଇଟ୍, ପାରଦର ଖବର
ତା'ସହ କଥା ଆଉ କବିତାରେ ବି
କାଲୁଆ ଦମ୍ଭ ଥିଲା
ତ ଶୀତ ବଢିଗଲା ।
ଶୀତପାଇଁ ବାଟ ଚାହିଁ ଚାହିଁ
ମରିଛି କେତେ ଆଖିପାଣି
ଏବେ ଆସିଛି ତ ଆସୁ
କିଛିଦିନ ରହିବାକୁ ଚାହୁଛି ତ ରହୁ
ଆଦରିବା ସଭିଏଁ ମିଶି
ସତ୍କାର କରିବା
ପୁଙ୍ଗୁଳାଦେହରେ ଖଣ୍ଡେ
କମ୍ବଳ ଘୋଡେଇଦେଇ
ପୁଣିଥରେ ଲେଉଟିଲାବେଳକୁ
କେତେଯେ ମୁହୂର୍ତ୍ତ
ଯାଇଥିବ ବିତି ।
ଏଠି ସଭିଏଁ ଅଭିନେତା
ମଣିଷଠୁ ଶୀତ
ଅଭିନୟ ସରିବାଯାଏଁ
ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶନାରେ
ସଭିଏଁ ଆତଯାତ ।