ତଥାପି ରଖିଛି ଆସ୍ଥା
ତଥାପି ରଖିଛି ଆସ୍ଥା
ଥିଲ ଏ ଶରୀରକୁ ଦିନେ ଉଧାରରେ ଦେଇ
ଏବେ ଚେଷ୍ଟାରତ ସୁଧ ମୂଳ ସହ ନେବାକୁ ଫେରାଇ,
ସବୁ ଭଲ ପାଇବା ଢାଳି ଦେଇଥିଲି ନିସର୍ତ୍ତରେ
ଏବେ ବିଚଳିତ ହେଉ ଅଛି ଦେଖି ବିଭକ୍ତିରେ l
ପାଟ ଶାଢୀ ପରି ଦୂରୁ ଦିଶୁଥିଲା ଯଦିଓ ଝଲମଲ
ଲଗା ହୋଇଥିବା ଜରି ଫୋଡି କରୁଥିଲା କଲବଲ,
ତଥାପି ଛାଡିବାକୁ ତାକୁ କ୍ଷଣେ ମାତ୍ର ଇଚ୍ଛା ହୁଏ ନାହିଁ
ଯେତେ ଦେଖୁଥିଲେ ତାକୁ ସେତେ ଲୋଭ ବଢୁଥାଇ l
ସେଥି ପାଇଁ ପୂଜା ପାର୍ବଣ ନିତି କରୁଥାଇ
ତୁମ ମନକୁ ତୋଷି ତୁମକୁ ଦବାକୁ ଭୁଲାଇ,
ଭିକ୍ଷାର୍ଥୀରେ କାଳେ ଦୟା ହୋଇଯିବ କି ତୁମରି
ଆଉ କିଛି ଦିନ ଅନୁମତି ଦବ ରଖିବାକୁ ଧରି l
ସ୍ପର୍ଶ କରିବାକୁ ଦେଇଛ କିଛି ଦିନ ପାଇଁ
ଜାଣିଥିଲେ ବି ଏ ମନ କେବେ ନବୁଝଇ,
ତୁମ ଅଜାଣତେ ତୁମ ସାଥେ ସଂଘର୍ଷ କରଇ
ଡରି ମରୁଥାଏ ନିତି କାଳେ ନେବ କି ଛଡାଇ l
ଆସିଲା ବେଳେ ଧରାକୁ ପ୍ରତିଶୃତି ଥିଲା
ବିନା ପ୍ରତିବାଦେ ସବୁ ସମସ୍ୟାର କରିବାକୁ ମୁକାବିଲା,
କିନ୍ତୁ ଏଠି ଆସି ପ୍ରତି ମୁହୂର୍ତ୍ତରେ କରେ ଅଭିଯୋଗ
ମନ ପସନ୍ଦର ଯଦି ନମିଳୁଛି କିଛି ଭୋଗ୍ୟ ଭାଗ୍ୟ l
ଯଦିଓ ଝୁଣ୍ଟୁଛି, ରକ୍ତାକ୍ତ ହଉଛି ପ୍ରତି ମୁହୂର୍ତ୍ତରେ
ଛଟପଟ ହୋଇ କାମନା ବାସନାର ଶକ୍ତ ପ୍ରହାରରେ,
ତଥାପି ଆଉ କିଛି ଦିନ ଧରା ଧାମେ ରହିଯିବା ପାଇଁ
ପ୍ରାର୍ଥନା ସହିତ ଅନୁରୋଧ କରି ଚାଲିଅଛି ମୁହିଁ ।