ତଥାପି ମୁଁ ଅଛି ଖୁସି
ତଥାପି ମୁଁ ଅଛି ଖୁସି
ତଥାପି ମୁଁ ଅଛି ଖୁସି
ଚାଳ ଛପରର ନୁଆଁଣିଆ ଘରେ
ଦିନ ଯାଏ ମୋର କଟି,
ଦୁଃଖରେ ସୁଖରେ ମିଳିମିଶି ଚଳୁ
ସର୍ବେ ସେ ଘରେ ଏକାଠି
ଘରଣୀ ମୋହର ଗୋବର ମାଟିରେ
ଘର , ବାରି ଦିଏ ଲିପି,
ଦୁଃଖ, ଦରଦକୁ ଲୁଚାଇ ଯତନେ
ଛାତିରେ ଦିଅଇ ଚାପି
ଓଳିଏ ଖାଇଲେ ଓଳିଏ ଓପାସ
ପେଟ ପାଇଁ କରେ ନାଟ,
ସ୍ୱାଭିମାନ ମୋର ତଥାପି ବି ଅଛି
ମାଗିନି କାହାକୁ ନୋଟ
ଧନ ନାହିଁ ବୋଲି ଗରିବ କୁହନ୍ତି
ହେଲେ ମାଗେ ନାହିଁ ଭିକ,
କୁହ ଏ ଜଗତେ କେ ଅଛି ଅମୀର
ଯମା ନାହିଁ କା'ର ଦୁଃଖ
ଧନ ଅଭାବରେ କେ ହୁଏ ନିର୍ଦ୍ଧନ
ସନ୍ତାନ ବିହୁନେ ବାଞ୍ଝ,
ସଭିଙ୍କ ଜୀବନେ ଅଭାବଟା ଥାଏ
ସ୍ୱାଭିମାନ ନେଇ ବଞ୍ଚ
କରମ ଆଦରି ଧରମ କରୁଛି
ସାହା ସେହି କ୍ଷେତ୍ରବାସୀ,
ନିଶ୍ୱ ବୋଲି ମୁହିଁ ଛାଡିନି ବିଶ୍ୱାସ
ତଥାପି ମୁଁ ଅଛି ଖୁସି
