ଟାରୋଟ୍ କାର୍ଡ ଓ ଖୁସି
ଟାରୋଟ୍ କାର୍ଡ ଓ ଖୁସି
ମୁଁ ଟାରୋଟ୍ କାର୍ଡ ତୁମ ଭାଗ୍ଯ ନିର୍ଦ୍ଧାରଣ କରୁଛି,
ଆଉ ତୁମେ !
ଦେହ ଠୁଁ ଟିକିଏ ଅଲଗା ହୋଇ ପାରିବ?
ମନ ଠୁଁ ଟିକିଏ ଆଗକୁ ଆଗେଇ ପାରିବ?
ଚିନ୍ତା ଠୁଁ ଟିକିଏ ବିଶ୍ରାମ ମାଗି ପାରିବ?
କାମନା ଠୁଁ ଟିକିଏ ଦୂରେଇ ପାରିବ?
ବାସନା ଠୁଁ ଟିକିଏ ମୁକ୍ତି ପାଇ ପାରିବ?
ସନ୍ଦେହ ଠୁଁ ନିଜକୁ ସ୍ବତନ୍ତ୍ର କରି ପାରିବ?
ଆଜି ଠୁଁ ନିଜକୁ ଆକଟ କରି ପାରିବ ???
ମୁଁ ଜାଣେ ତୁମେ ପାରିବନି ----
ବୋଧହୁଏ ସେଥିପାଇଁ ମୁଁ " ଟାରୋଟ୍ କାର୍ଡ "
ତୁମ ଭଳି ଜଣେ ଭୀରୁ, କାପୁରୁଷ ର
ସଜ୍ଜ୍ଯା ମଣ୍ଡନ କରିବାର ସୌଭାଗ୍ଯ ପ୍ରାପ୍ତି କରିଛି।
ଠ-ଠା-ଠି ଭିତ୍ତିକ ଭାଗ୍ୟକୁ ନେଇ
କେତେ ଦିନ ପର୍ଯ୍ୟନ୍ତ ଏମିତି ଚାଲିଥିବ ???
ସମୟର ତାଳେ ତାଳେ
ନିଜେ ନିଜର ଟାରୋଟ୍ କାର୍ଡ ବନିଯାଅ
ଯାହା କହିବ ସେହିଆ ହିଁ ହେବ
ଯାହା ଭାବିବ ତାହା କରିପାରିବ
କିଛି ଅସମ୍ଭବ ବି ସମ୍ଭବ ହୋଇଯିବ;
ନିଜେ ନିଜ ଭାଗ୍ଯ ରେଖା ସର୍ପିଳ କର
ଯେଉଁଦିନ ଭାଗ୍ଯ ରେଖା ସଳଖି ଯିବ
ସେଦିନ,
ନା ଏ ଦେହ ଥିବ, ନା ସନ୍ଦେହ !
ନା ଭାବନା ଶକ୍ତି ଥିବ, ନା ମନ ଏବଂ ଚିନ୍ତା !!
ନା ଶରୀର ଥିବ, ନା କାମନା, ବାସନା !!!
ଟାରୋଟ୍ କାର୍ଡର କୌଣସି ଜରୁରୀ ନାହିଁ,
ଅନ୍ୟର ହସ୍ତ ମାଧ୍ୟମ ରେ ଯେଉଁ
ଟାରୋଟ୍ କାର୍ଡ ଦ୍ବାରା ଭାଗ୍ଯ ନିର୍ଦ୍ଧାରଣ କରୁଛ,
ନିଜ ହସ୍ତ ରେଖା ନିଜେ ଆଙ୍କି ଦିଅ
ଦେଖିବ ତୁମେ ସେଦିନ ତୁମ ହସ୍ତର ପରାକ୍ରମ
ସେ ଟାରୋଟ୍ କାର୍ଡ ଠୁଁ ଅନେକ ଗୁଣରେ ଅଧିକ ।।
