ତରୁଣ
ତରୁଣ
ଶୈଶବ ଗୋଧୁଳି ଯୌବନ ଉଷାରେ
ପ୍ରସ୍ଫୁଟିତ ସେ ତରୁଣ |
ଅତି କମନୀୟ ତରୁଣ ସମୟ
ହୃଦୟେ ଭାବର ଆନ୍ଦୋଳନ ||୧||
ତରୁଣ ପଲ୍ଲବ ନୂତନ ଯୌବନ
ବିଚିତ୍ର ଅପୂର୍ବ ସୃଷ୍ଟି |
ଉଷ୍ଣରକ୍ତର ପ୍ରବାହରେ ସତେ
ଭରି ଭରି ଥାଏ ଶକ୍ତି ||୨||
ଉନ୍ମାଦ ଭରା ମନବୀଣା ତନ୍ତ୍ରେ
ସପ୍ତରଙ୍ଗ ଖେଳୁଥାଏ |
ନୂତନ ଉଲ୍ଲାସ ରଙ୍ଗୀନ ସପନ
ହୃଦୟରେ ଉଙ୍କିଥାଏ ||୩||
ଫୁଲର ମହକ ପ୍ରକୃତି ସୌନ୍ଦର୍ଯ୍ୟ
କୋଇଲିର କୁହୁତାନ |
ମାନସ ପଟଳେ ଚିତ୍ର ଆଙ୍କିଦିଏ
ହଲ ଚଲ ହୁଏ ମନ |୪||
କୋମଳ ପାଦକୁ ଅଜଣା ପଥ ଏ
କରଇ ଚିତ୍ତକୁ ଚଞ୍ଚଳ |
ମାତା ପିତା ଗୁରୁ ହେଲେ ସହାୟକ
ଜୀବନ ହୁଏ ସରଳ ||୫||
