ଅବ୍ୟକ୍ତ ବେଦନା
ଅବ୍ୟକ୍ତ ବେଦନା
ଅବ୍ୟକ୍ତ ବେଦନା
ବିନୋଦିନୀ ଦାଶ
ବ୍ୟକ୍ତ କରିବାକୁ କ୍ଷମ ହୁଏ ନାହିଁ
ସିନା କେ ଅନ୍ତରେ ଥିବା ବେଦନା
ହେଲେ ସହିବାକୁ ବାଧ୍ୟ ହୁଏ ସିଏ
ହୁତାସନ ସମ ସେହି ଯନ୍ତ୍ରଣା ।
କଷ୍ଟ ଦିଏ ଯେବେ ଆପଣାର ଲୋକ
ତା'ର ଆଚରଣ ଉଚ୍ଚାରଣରେ
ହେଉଥିଲେ ମଧ୍ୟ ଜୀବାତ୍ମା ଦହନ
ନୀରବତା ଅବଲମ୍ବନ କରେ ।
ଖୋଲେ ନାହିଁ ପାଟି ଲୋକହସା ଭୟେ
କେବଳ ଗୁମରି କାନ୍ଦେ ଭିତରେ
ନିଜ କର୍ମ ନିନ୍ଦି ପଡ଼ି ରହିଥାଏ
ଫୁଟାଇ କୃତ୍ରିମ ହସ ମୁଖରେ ।
ସମସ୍ତେ ଜାଣନ୍ତି ଭାରି ଖୁସି ଅଛି
ହୃଦୟକୁ ଅବା ପଢ଼ିବ କିଏ
ଅସହାୟତାକୁ ରଖଇ ଗୋପନ
ସଂସ୍କାରିତ ପ୍ରାଣ ସତେ କି ସିଏ !
ସଂସାରର ଗତି ଅତୀବ ବିଚିତ୍ର
ବାଳକରୁ କ୍ରମେ ଯୌବନ ବୃଦ୍ଧ
ସକଳେ ଏ ଗତି ପ୍ରାପତ ହୁଅନ୍ତି
ଆଖି ଥାଇ କିଆଁ ସାଜନ୍ତି ଅନ୍ଧ !
ଧନ ଯଉବନ ନୁହେଁ ଚିରସ୍ଥାୟୀ
ଗରବ ଦମ୍ଭ ବି ହୁଅଇ ଚୂନା
କେଉଁ କାରଣରୁ ଆତ୍ମୀୟଙ୍କୁ ଦିଏ
ସହିବାକୁ କେ ଅବ୍ୟକ୍ତ ବେଦନା !
ପିତାମାତା ପୁତ୍ରକନ୍ୟା ଶାଶୁବୋହୂ
ଇଏ ତ ପ୍ରୀତିର ମଧୁ ସମ୍ପର୍କ
ନିଜ ସ୍ବାର୍ଥ ପାଇଁ କରନ୍ତି କାହିଁକି
ପରସ୍ପର ମଧ୍ୟେ ତର୍କବିତର୍କ !
ନ ଚେତଇ କିଆଁ ଚେତନାରେ କେହି
ଜଣେ ବିନା ନୁହେଁ ଆନ ସମ୍ଭବ
ସବୁ ମିଛ ମାୟା କେବଳ ତା' କାୟା
ପାଇଁ ସେ ଗୋଟାଏ ସୁଖ ବିଭବ ।
କାହାର ଆଖିକୁ ଲୁହରେ ଭରିଲେ
ନିଜ ପାଖୁ ଫେରେ ଶତ ଗୁଣରେ
ଅନୁଭବି କିଆଁ ରହନ୍ତି ଅଜଣା
ପଚାରନ୍ତିନି ବି ମନକୁ ଥରେ ।
ବୃଥା ନୁହଁଇ କି ଏସବୁ ସମ୍ପଦ
ଆତ୍ମା ଭଗବାନ ନ ଚିହ୍ନ ଯେବେ
ମୁକତିପଥକୁ ହୁଡ଼ିବା ନାହିଁ କି
ମନରେ ବିଚାର କର ସରବେ ।
କୁରୁଆଁ, ମୁଗପାଳ, ଯାଜପୁର
