ନମୋ ଗଣେଶ ବିଘ୍ନେଶ
ନମୋ ଗଣେଶ ବିଘ୍ନେଶ
ନମାମି, ନମାମି ଆହେ ଦେବ ଗଣପତି l
ବିଦ୍ୟାଦାତା ଭଗବାନ ପ୍ରଭୁ ବିଦ୍ୟାପତି ll
ଏକ ଦନ୍ତ ମହାକାୟ ପ୍ରଭୋ ଲମ୍ବୋଦର l
ବିଦ୍ୟାର ବାରିଧି ପ୍ରଭୁ ବିଦ୍ୟାର ସାଗର ll
କୋଟିସୂର୍ଯ୍ୟ ସମ ତେଜ ପ୍ରଭୁ ଗଣନାଥ l
ପାରବତୀ ମହାଦେବ ତୁମ୍ଭ ମାତ ତାତ ll
ନମୋ ନମଃ ଗଜାନନ, ମୂଷିକ ବାହନ l
ରିଦ୍ଧି, ସିଦ୍ଧି, ପତି ସିଦ୍ଧି ଦାତା ଭଗବାନ ll
ସର୍ବଦେବଙ୍କ ଅଗ୍ରତେ ପ୍ରଭୁ ତୁମ୍ଭେ ପୂଜ୍ୟ l
ବିଘ୍ନ ବିନାଶନ ନମୋ ନମଃ ବିଘ୍ନରାଜ ll
କଣ୍ଠେ ମୁକୁତାର ମାଳା ଉତ୍ତରୀ ପଇତା l
ପାଶାଙ୍କୁଶ ବେନି ହସ୍ତ, ସର୍ଵ ବିଘ୍ନହର୍ତ୍ତା ll
ମୋଦକପ୍ରିୟ ନମାମି ଆହେ ଗଣେଶ୍ୱର l
ହର ଅଜ୍ଞାନ ଅବିଦ୍ୟା ପ୍ରାର୍ଥନା ମୋହର ll
ଦୟାବଳେ ଗଜ ମୂର୍ଖ ବୋଲାଏ ପଣ୍ଡିତ l
ମୂକ ବାଚାଳ ହୁଅଇ, ସଂସାରେ ବିଦିତ ll
ନମୋ ଗଣେଶ ବିଘ୍ନେଶ ଦିଅ ଶୁଭ ବୁଦ୍ଧି l
ନମାମି ନମାମି ପ୍ରଭୋ ବିଦ୍ୟାର ବାରିଧି ll
