ତ୍ରିରଙ୍ଗାର ଜୟଗାନ
ତ୍ରିରଙ୍ଗାର ଜୟଗାନ
ଦିଲ୍ଲୀ ଠାରୁ ପଲ୍ଲୀ ଉତ୍ସବ ମୁଖର
ତ୍ରିରଙ୍ଗାର ଜୟଗାନ
ଶ୍ରବଣରେ ମୋର ସାହାନାଇ ଶୁଭେ
ଏଇ ଭାରତ ମହାନ l
ଉର୍ଦ୍ଧ୍ୱେ ଉଡ଼ୁଛି ଆମ ଏ ତ୍ରିରଙ୍ଗା
ଭୂମିରୁ ଭୂମାକୁ ଛୁଇଁ
ମାଆମାଟି ମୋର ଭବ୍ୟ ଉଲ୍ଲାସେ
ସତେକି ଉଠିଛି ଚେଇଁ l
କୋଟିଏ କଣ୍ଠରେ ଗୋଟିଏ ସଙ୍ଗୀତ
ଜନଗଣ ମନ ଗାଇ
ଏ ମାଟି ସନ୍ତାନ ଗର୍ବେ ଗରୀୟାନ
ଆମେରେ ଭଉଣୀ ଭାଇ l
ଅତୀତର ସେହି ପରାଧୀନ ସ୍ମୃତି
ଦୁର୍ବାର ଯାତ୍ରା ସାଥେ
ରକ୍ତ ନଦୀର ସୁଅ ଛୁଟିଥିଲା
ଜାଲିଆନାବାଗ ପଥେ l
ପ୍ରତିଶୋଧ ବହ୍ନି ହୁତୁ ହୁତୁ ହୋଇ
ଜଳିଲା ଜନତା ମଧ୍ୟେ
ଉଦ୍ଦାମ୍ ସିଂ ଗୁଳି ବସାଇଲା
ସେଇ ଡାଇଆର ବୁକେ l
ଲକ୍ଷ୍ମଣ ନାୟକ,ବିର୍ସା ମୁଣ୍ଡା ହସି
ଫାଶୀ ଖୁଣ୍ଟେ ଥିଲେ କହି
ସୂର୍ଯ୍ୟ ଚନ୍ଦ୍ର ଯଦି ସତ୍ୟଏ ମହୀରେ
ବନ୍ଧନ ଯିବ ଫେଇ l
ଫାଶୀ ଦିଆ ବରଗଛରେ ଜୟୀଙ୍କୁ
ଦେଇଥିଲେ ଯେଉଁ ଦଣ୍ଡ
ଆତ୍ମ ତ୍ୟାଗର ଇସ୍ତାହାର ସାଥେ
ଗଡ଼ିଲା ଶତ୍ରୁର ମୁଣ୍ଡ l
ଗାନ୍ଧିଜୀଙ୍କ ଡାକ ସାରା ଦେଶଟାକୁ
ଏକଜୁଟ କଲା ଯେବେ
ଅହିଂସା ଅସ୍ତ୍ରରେ ଲଢ଼ିବା ପାଇଁକି
ଓହ୍ଲାଇ ଆସିଲେ ସର୍ବେ l
ସୁଭାଷ ବୋଷଙ୍କ ଆହ୍ୱାନ ଏଦେଶେ
ଅଗ୍ନି ସ୍ଫୁରଣ କଲା
ତ୍ରାହିତ୍ରାହି ବୋଲି ଫିରିଙ୍ଗି ଡାକିଲେ
ପ୍ରସ୍ଥାନର ବେଳ ହେଲା l
କେତେ ସୁର ନର ଲୁହ ଲହୁ ସାଥେ
କାରାର କଷଣ ସହି
ମୁକ୍ତ କରିଲେ ଆର୍ଯ୍ୟାବର୍ତ୍ତକୁ
ପୁଣ୍ୟ ମୋ ଭାରତ ଭୂଇଁ l
ଗୌରବର ସେହି ପଞ୍ଚସ୍ତରୀ ବର୍ଷ
ଅତିକ୍ରମି ଅଛି ଦେଶ
ଆସରେ ସରବେ ତ୍ରିରଙ୍ଗା ଉଡ଼ାଇ
ରଖିବା ଦେଶର ଯଶ l
ସମାଜ ପାଇଁ ମୋ ନମ୍ର ନିବେଦନ
ସର୍ବେ ହୁଅ ଏକାକାର
ଅଭାବ କଷଣ ଦୂରେ ଘୁଞ୍ଚି ଯାଉ
ମାଟି ହେଉ ସ୍ବର୍ଗପୁର l