ତ୍ରିରଙ୍ଗା -ଏ ଜାତିର ସ୍ୱାଭିମାନ
ତ୍ରିରଙ୍ଗା -ଏ ଜାତିର ସ୍ୱାଭିମାନ
ଛଅସ୍ତରୀ ତମ ସ୍ୱାଧୀନ ଦିବସ
ଡାକିଲାଣି ହାତ ଠାରି
ମାଆ ମାଟିର ସେ ଆକୁଳ ଚିତ୍କାର
ଶ୍ରବଣେ ପଡୁଛି ହୁରି l
ବିଦେଶୀ ଶାସନ ଯନ୍ତ୍ରଣା ଜଉରେ
କି ଅବା ସହିନି ମାଟି
କେତେ ତ୍ୟାଗବଳେ ମହାମାନବ ହେ
ଖୋଲିଲ ନିର୍ଭୟ ପାଟି l
ଉନ୍ମୁକ୍ତ ସେହି ବଜ୍ର ଆହ୍ୱାନେ
ଶତ୍ରୁ ହେଲେ ଧରାଶାୟୀ
ଏକତାର ବଳେ ମୁକ୍ତ ହୋଇଲା
ମାଆ ମୋ ମମତା ମୟୀ l
ଗାନ୍ଧୀ ଡାକ ଦେଲେ ଅହିଂସା ବଳରେ
ଦେଶକୁ କରିବା ମୁକ୍ତ
ସୁଭାଷଙ୍କ ବାଣୀ ସଶସ୍ତ୍ର ସଂଗ୍ରାମ
ତାତୁଛି ଆମର ରକ୍ତ l
ବକ୍ସି ଦେଖାଇଲେ ଅସହଯୋଗର
ନୂତନ ଅସ୍ତ୍ରର ସ୍ୱାଦ
ଫେରିଯାଅ ତୁମେ ଫିରିଙ୍ଗି ଜାତିଟା
ନିର୍ଲଜ୍ଜ ପ୍ରତିବାଦ l
ଆମ ମାଟି ପରେ ଆମକୁ ଶାସନ
ଏ କେଉଁ ଶାସ୍ତ୍ରର କଥା
ପରଜୀବୀ ତୁମେ ଆସି ଏ ଦେଶକୁ
ବଢ଼ାଇଲ ଆମ ବ୍ୟଥା l
ତଥାପି ତୁମର ପ୍ରତିହତ ପାଇଁ
ଏକତା ଶିଖାଇ ଦେଲ
ଜାତୀୟତା ପଣେ ତୁମ ବିରୁଦ୍ଧରେ
ସଭିଙ୍କୁ ଏକାଠି କଲ l
ସାରା ଦେଶଟାରେ ବିଦ୍ରୋହର ବହ୍ନି
ଜଳେ ହୁତୁ ହୁତୁ ହୋଇ
ଶିର ଦେବୁ ପଛେ ଡରି ଯିବୁ ନାହିଁ
ଦେଶର ମୁକତି ପାଇଁ l
ଉଣେଇଶି ଶହ ଶତଚାଳିଶି ବର୍ଷ
ଅଗଷ୍ଟ ପନ୍ଦର ଦିନ
ଉଡ଼ିଲା ତ୍ରିରଙ୍ଗା ବିଜୟ ଦର୍ପରେ
ଏ ଜାତିର ସ୍ୱାଭିମାନ l
ସ୍ୱାଧୀନ ଭାରତ ସନ୍ତାନ ଆମେ
ଆମେ ଏ ଦେଶର ରକ୍ତ
କୋଟିଏ କଷଣ ସହିଯିବୁ ଆମେ
ମାଟି ପାଇଁ ଦେଶ ଭକ୍ତ l
କଦମ୍ କଦମ୍ ଆଗେଇ ଚାଲିଛୁ
ଶିଳ୍ପ କାରିଗରୀ ସାଥେ
ଶିକ୍ଷା, ସ୍ୱାସ୍ଥ୍ୟ ସଙ୍ଗେ ଭ୍ରାତୃତ୍ୱ ବାଣ୍ଟିବୁ
ବନ୍ଧୁର ଏଇ ପଥେ l
ପ୍ରଣତି ଘେନମା' ମୋ ଦେଶ ଭାରତ
ଆର୍ଯ୍ୟlବର୍ତ୍ତର ମାଟି
ସଂପ୍ରୀତି ସୋହାଗ ଭାଇଚାରା ମନ୍ତ୍ରେ
ପୂରି ଉଠିବ ତୋ ଛାତି l
