ତ୍ରିଗଣ-ସତ୍ତ୍ବ, ରଜ, ତମ
ତ୍ରିଗଣ-ସତ୍ତ୍ବ, ରଜ, ତମ
ସତ୍ତ୍ବ, ରଜ, ତମ ଏ ତିନୋଟି ଗୁଣ
ପ୍ରକୃତିରୁ ଯେଣୁ ସଂଜାତ
ତାହାକୁ ଆବୋରି ଅଭିମାନୀ ଦେହୀ
ବନ୍ଧନରେ ପଡ଼େ ମରତ
ଏହି ପ୍ରବୃତ୍ତି
ନିଜ ଅନୁରୂପ ଭୋଗରେ
ମମତ୍ବ, ଆସକ୍ତି ଉତ୍ପନ୍ନ କରନ୍ତି
ଅବିନାଶୀ ଜୀବାତ୍ମାଠାରେ ।
ସତ୍ତ୍ବଗୁଣଟିର ସ୍ବରୂପ ନିର୍ମଳ
ଜୀବାତ୍ମାକୁ ସୁଖ, ଜ୍ଞାନରେ
ବନ୍ଧନ କରି ମୁଁ ସୁଖୀ ଅଟେ
ବୋଲାଏ ସୁଖପ୍ରାପ୍ତି ବେଳେ
ସେ ଅଭିମାନ
ସମ୍ବନ୍ଧିତ ସୁଖ ସହିତ
ସାଧନା ମାର୍ଗରେ ଗତିରୋଧ କରେ
ମୁକ୍ତି ପଥୁ ଜୀବ ବଞ୍ଚିତ ।
କାମନା ଆସକ୍ତିଠାରୁ ଜନ୍ମ ହୋନ୍ତି
ରାଗରୂପକ ରଜୋଗୁଣ
କର୍ମ, କର୍ମଫଳ ସହିତ ସମ୍ବନ୍ଧ
ଜୀବାତ୍ମାକୁ କରେ ବନ୍ଧନ
କର୍ତ୍ତାପଣରେ
ଏସବୁ କର୍ମ ମୁଁ କରୁଇ
ଅମୁକ ଫଳ ମୁଁ ପାଇବି ନିଶ୍ଚୟ
ଅଭିମାନ ସୁରେ ବୋଲଇ ।
ଅଜ୍ଞାନୁ ଉତ୍ପନ୍ନ ଜାଣ ତମୋଗୁଣ
ମୋହିତ ଦେହାଭିମାନୀଙ୍କୁ
ପ୍ରମାଦ, ଆଳସ୍ୟ, ନିଦ୍ରାରେ ବନ୍ଧନ
କରଇ ତାଙ୍କ ଜୀବାତ୍ମାକୁ
ଅଜ୍ଞାନ ହେତୁ
ବଢ଼ଇ ଏହି ତମୋଗୁଣ
ବଞ୍ଚିତ ମୁକ୍ତିର ସାଧନା ପଥରୁ
ପାପପଥେ ଅନୁଧାବନ ।
ସା
ତ୍ତ୍ବିକ ସୁଖରେ ଯୁକ୍ତ ସତ୍ତ୍ବଗୁଣ
ରଜୋଗୁଣ କର୍ମେ ଲଗାଏ
ଜ୍ଞାନ ଆଚ୍ଛାଦିତ କରି ତମୋଗୁଣ
ପ୍ରମାଦରେ ଲଗାଇଥାଏ
ଏପରି ଭାବେ
ଏକତ୍ରିତ ହୋଇ ତ୍ରିଗୁଣ
ସଂସାରବୃକ୍ଷରେ ବାନ୍ଧି ମନୁଷ୍ୟଙ୍କୁ
ଜନ୍ମମୃତ୍ୟୁଚକ୍ର କାରଣ ।
ତମୋଗୁଣ ନାଶି ରଜକୁ ପ୍ରକାଶି
ଆଗକୁ ବଢ଼ୁଥିବା ଜନ
ଲୋଭ, ସ୍ବାର୍ଥବୃଦ୍ଧି, ପ୍ରବୃତ୍ତି ମାର୍ଗରେ
ସକାମେ କର୍ମ ଆଚରିଣ
ତୋଳେ ଅଶାନ୍ତି
ବିଷୟଭୋଗର ଲାଳସା
ଅନ୍ତଃକରଣରେ ସତ୍ତ୍ବଗୁଣ କାର୍ଯ୍ୟ
ପ୍ରକାଶିବାକୁ ବାନ୍ଧେ ବସା ।
ହୁଅଇ ଉତ୍ତୀର୍ଣ୍ଣ ଯେବେ ସତ୍ତ୍ବଗୁଣ
ଦେହୀର ଅନ୍ତର ପାବନ
ଇନ୍ଦ୍ରିୟେ ଚେତନା ବିବେକ ଶକତି
ଆଧିକ୍ୟେ ପ୍ରକାଶ ଉତ୍ପନ୍ନ
ସତ୍ୟ-ଅସତ୍ୟ
ତଥା କର୍ତ୍ତବ୍ୟ- ଅକର୍ତ୍ତବ୍ୟ
ନିର୍ଣ୍ଣୟ ଜ୍ଞାନରେ ଜାଗ୍ରତ ବୈରାଗ୍ୟ
ମନୁ ତ୍ୟାଗଇ ସୁଖ ଭବ୍ୟ ।
ଭାସିଯାଏ ଶାନ୍ତିସୁଖ, ଉପରତି
ବନ୍ୟା ଆସି ମାନସିକତା
ରାଗ-ରୋଷ, ଦୁଃଖ -ଶୋକ, ଚିନ୍ତା, ଭୟ
ନିଦ୍ରା, ଆଳସ୍ୟ, ଚଞ୍ଚଳତା
ପ୍ରମାଦ ଆଦି
ଅଭାବ ହୁଅଇ ତା'ଠାରେ
ଭଜନ-ଧ୍ୟାନରେ ଲଗାଇ ମନକୁ
ଶେଷେ ପଶେ ବିଷ୍ଣୁ ପଞ୍ଜରେ ।