ତପସ୍ୟା
ତପସ୍ୟା
ମନଟା ଯେବେ ଅରଣ୍ୟ ପାଲଟି ଯାଏ
ସେହି ଅରଣ୍ୟ ରେ ମୁଁ ରାସ୍ତା ଭଟକେ
ଟିକେ ଶାଶ୍ୱତ ଶାନ୍ତିର କାମନା ରେ
ମୁଁ ଯେବେ ତଡପେ, ମନଟା କ୍ଷଣଭଙ୍ଗୁର
ପାଲଟିଯାଏ, ନିଶ୍ୱାସ କୁ ବିଶ୍ଵାସ ନଥାଏ
ଜୀବନର ସ୍ଥିତି ଦୋଦୁଲ୍ୟମାନ
ପଦ୍ମ ପତ୍ରରେ ଜଳଵିନ୍ଦୁ ପ୍ରାୟ
ଢଳ ଢଳ ଜୀଵନ, ଜୀଵନ ମରୁଭୂମି
ରେ ଯେବେ ତୃଷ୍ନା ମେଣ୍ଟିପାରେନା
ଅଦମ୍ୟ ପିପାସା ରେ ମୁଁ ତୃଷାର୍ତ୍ତ
ପଥିକ, ରାସ୍ତା ଭଟକେ......।
ଶାନ୍ତି ଏଠି ମିଳେନା ଜମାରୁ
ଅପହଞ୍ଚ ଶାନ୍ତିର ଇଲାକାରେ
ମୁଁ ରାସ୍ତା ଭଟକେ ଆଉ ଭଟକେ
ମନଟା ଯେବେ ଅରଣ୍ୟ ପାଲଟିଯାଏ
ହତାଶ ମଣିଷଟା ଦିଗନ୍ତ ଖୋଜେ
ଜିଁବାର ସ୍ପୃହା ସବୁକୁ ଯେବେ
ରଙ୍ଗୀନ କରିବାର ପ୍ରୟାସ ରେ
ପ୍ରଯତ୍ନ ଜାରି ରଖେ, ସେ କାହିଁକି
ଲକ୍ଷ୍ୟ ବିଚ୍ୟୁତ ହୁଏ
ଖୋଜିବୁଲେ ସେହି ଚିରନ୍ତନ
ଶାଶ୍ୱତ ଶାନ୍ତିର କାମନାରେ
ଯେଉଁଠି ନା ଥିବ ଆଘାତ
ନାଥିବ ଯନ୍ତ୍ରଣା, ଖାଲି ଚିର
ଶାନ୍ତିର ସନ୍ଧାନ ରେ ସେ ବ୍ରତୀ
ହୋଇଥିବ,ଆଉ ତାର ପୂଜା
କରୁଥିବ, ଶାନ୍ତିର ଅରଣ୍ୟରେ
ସେ ତପସ୍ୱି ହେବ, ମନର
ଆଇନାରେ ଯେବେ ମୁହଁ
ଦେଖେ, ଟିକେ ସ୍ଵଛ ହେବାପାଇଁ
ପ୍ରତିବିମ୍ବ ପ୍ରତିଫଳିତ ହୁଏ
ସେ ବୁଝିପାରେ ସେ ତପସ୍ୱି
ବୋଲି, ତପସ୍ୟା ତାର
ପହଂଚିବାକୁ ଲକ୍ଷସ୍ଥଳୀ କାହିଁକି ନା
ଶାନ୍ତି ଏଠି ମିଳେନା ଜମାରୁ
ମନର ଆଇନା ରେ ଯେବେ
ମୁହଁ ଦେଖେ, ଭଟକେ ଯେବେ
ଅରଣ୍ୟରେ ରାସ୍ତା ଭଟକେ
ମୁଁ ତପସ୍ୱି ତପସ୍ୟା ମୋର ଟିକେ
ଶାନ୍ତି, ରାସ୍ତା ଭଟକେ, ମୁଁ ତପସ୍ୱି
ଶାନ୍ତିର କାମନାରେ, ମୁଁ ତପସ୍ୱି ହୁଏ
ତପସ୍ୟା ମୋର ଜିଁବାକୁ ଏକ
ଶୁଦ୍ଧ ସୁନ୍ଦର ଜୀଵନ, ତପସ୍ୟା
ମୋର ଗଢିବାକୁ ମନ୍ଦିର ପରି ଘର
ତପସ୍ୟା ମୋର ଗଢିବାକୁ
ଆଉ ଏକ ନୂଆ ସ୍ୱର୍ଗ
ତପସ୍ୟା ମୋର ଜିଁବାକୁ
ଜୀଵନ ଭଳି ଜୀଵନ
ତପସ୍ୟା ମୋର ପାହାଡ଼ ଭଳି
ଅଟଳ, ତପସ୍ୟା ମୋର ନିତ୍ୟ
ଚିରନ୍ତନ ଶାଶ୍ୱତ ପୁଣି ଶୁଦ୍ଧ ନିତ୍ୟ
ସୁନ୍ଦର ସରସ ଏକ ପାପମୁକ୍ତ ଜୀଵନ
