STORYMIRROR

Upendra Mahala

Romance Inspirational

3.8  

Upendra Mahala

Romance Inspirational

ତପସ୍ୱିନୀ

ତପସ୍ୱିନୀ

1 min
329


କଏ ତୁମେ ଅପରୂପା ତପସ୍ୱିନୀ
ବାମନ ହାତ ବଢାଇ ଚାନ୍ଦ ତୋଳି ଆଣ
ଆକାଶକୁ ମାପି ଦେଇପାର। 
ଟିକି ଟିକି ସୁନା ଫୁଲିଆ ଦେହ
ଚୁନା ଚୁନା ମୋତିଝରା ହସ
ରୂପରେ ଚହଟେ ତୁମ
ଅନିନ୍ଦ୍ୟ ସୌନ୍ଦର୍ଯ୍ୟ।

କାହା ଅ।ଖିରେ ପଡେନା
କେହି ବି ଦେଖେନା
ଘାସ ପଣତରେ ଲୁଚିଥାଅ
ସକାଳେ ସୂର୍ଯ୍ୟସ୍ନାନ କରି
ରଙ୍ଗ ପାଉଡର ବୋଳିହୁଅ
ରାତିରେ ଜହ୍ନ, ତାରାଙ୍କ
ଜ୍ୟୋତ୍ସ୍ନାରେ ହଜି
ମନ ମୋର ମୋହୁଥାଅ।

କିଏ ଦେଲା ତୋତେ ବାମନ ରୂପ
ଏତେ ପୁଣି ରୂପ ରଙ୍ଗ ରସ
ଆଖିରେ ଦେଲା ଅ।କାଶେ ସପନ ?
ଜାଣେ ପ୍ରକୃତି ପୂଜାରିଣୀ ତୁମେ,
ପ୍ରେମିକା ଶାଶ୍ୱତ ଚେତନାର। 
ମାଟିର ଅନୂଢା ତପସ୍ୱିନୀ ଫୁଲକନ୍ୟା 
ପବିତ୍ର ପାବନୀ ରୂପର 
ପୂଜା ଅର୍ଘ୍ୟ।

ହୃଦରେ ମୋ ଗାର କାଟୁଥାଅ,
ମନକୁ ଚହଲାଉଥାଅ ବାରମ୍ବାର।
କେବେ ଆସ ପାହାନ୍ତି ସ୍ୱପ୍ନରେ
କେବେ ବର୍ଷାର ତୁନିତୁନି କ।ନ୍ଦରେ।

ଆଖିରୁ ଝରିଲେ ମୋ ଲୁହର ଧାର
ଫୁଲ ଚାଙ୍ଗୁଡି ଧରି ଚାଲି ଆସ
ସଜାଇ ଦେବାକୁ ମୋତେ 
ନାଟୁଅ। କୃଷ୍ଣ ବେଶରେ ।
ନିଜେ ହୁଅ ଭାବମୟୀ ରାଧା 

ିନ୍ଧି କୋମଳ ଅଙ୍ଗବାସ 
ନାଚିବାକୁ ଗାଁ କୀର୍ତ୍ତନ ବେଳେ।

କାନେ କାନେ ତୁମେ କହୁଥାଅ
"ଚିହ୍ନିକି ପାରୁଛ ନିଜକୁ
ସଂସାରୀ ସନ୍ନ୍ୟାସୀ ତୁମେ 
ଅନନ୍ତ କାଳର।
ଶ୍ରଦ୍ଧାରେ ହାତଧରି ଅ।ସ
ପାଦକୁ ଛନ୍ଦି ନାଚି ଶିଖ
ପାହଚ ପରେ ପାହଚ ଚଢି
ମନ ଜ୍ୟୋତ୍ସ୍ନାରେ ଭିଜିବ।
ଦେଖିବ ଦିବ୍ୟ ରୂପାନ୍ତର । 
କେମିତି ଜୀବନ ସାଜୁଛି
ମାଟିର ଘାସ ଫୁଲ।"

ମୁଁ ଦେଖେ ଶାଶ୍ୱତ ମହାଲୀଳା
ରାଧାବେଶୀ ନୃତ୍ୟାଙ୍ଗନାଙ୍କ ନୃତ୍ୟ।
ଭାବ ସଂକୀର୍ତ୍ତନ ଚାଲିଥାଏ
ଝାଞ୍ଜ, ମୃଦଙ୍ଗ, ଶଙ୍ଖ ବାଜୁଥାଏ 
ଦ୍ୱାର ପରେ ଦ୍ୱାର ଫିଟି ଯାଉଥାଏ
କାହା ଯାଦୁ ହାତର ଛୁଆଁରେ।
ଅନ୍ଧାରୀ ବନ୍ଦୀଶାଳାରୁ
ମୁକୁଳି ଅ।ସୁଥାଏ ମୋ ଆତ୍ମା
ଭିଜିବାକୁ ପୁଲକ-ଜ୍ୟୋତ୍ସ୍ନାରେ।

ଝାଞ୍ଜ, ମୃଦଙ୍ଗ ସେମିତି ବାଜୁଥାଏ 
ଶବ୍ଦ ତରଙ୍ଗ ଖେଳୁଥାଏ
ମାଟିରୁ ଇଥର ଯାଏ।
ନୃତ୍ୟାଂଗନାଙ୍କ ମଝିରେ
ପାଦ ମୋର ନାଚୁଥାଏ।
ଶୂନ୍ୟକୁ ପାହାଚ ଚଢୁଥାଏ
ରୂପାନ୍ତର ଘଟୁଥାଏ ଆତ୍ମାର
ପାହାନ୍ତି ନିଦ କୋଳରେ
ଶୋଇ ପଡିଥିବା ବେଳେ।


*******



Rate this content
Log in

Similar oriya poem from Romance