ତୋ ଉପରେ ମୁଁ କିଏ
ତୋ ଉପରେ ମୁଁ କିଏ
ପାଞ୍ଚ ବରଷରେ ମାଆ ହରାଇଲି ଦଶବରଷରେ ବାପ
ହୋଇଲି ଅନାଥ ଆଶ୍ରା ଭଙ୍ଗା ଛାତ ବିଧାତାର ଅଭିଶାପ |
ଚାରି ବରଷର ଭାଇଟି ମାତର ମୋ ସୁଖ ସମ୍ପଦ ଖଣି
ଲାଳନ ପାଳନେ ଢାଳି ଦେଲି ମନ ସେ ଥିଲା ନୟନମଣି |
ପଞ୍ଚମ ଶ୍ରେଣୀରୁ ପାଠ ପଢ଼ା ଛାଡ଼ି ଚାଷ କାମ ଆଦରିଲି
ହଳବୁଲା ଠାରୁ ମାଟି ହଣା ଯାଏ ସବୁ କାମଶିକ୍ଷା କଲି |
ପିଲାଟି ଦିନରୁ ମୂଲ ମୁଁ ଲାଗିଲି ମୁଲିଆରେ ଗଣାହେଲି
ଭାଇ ପାଇଁ ଖାଲି ସପନ ଦେଖିଲି ନିଜ କଷ୍ଟ ଭୁଲି ଗଲି |
ଦିନ ରାତି ଖଟି ପେଟୁ କାଟି କୁଟି ତାହାକୁ ମଣିଷ କଲି
ପାଠ ପଢ଼ି ସିଏ ହାକିମ ହୋଇଲା ସବୁ ଦୁଃଖ ଭୁଲିଗଲି |
ସୁଖ ସାଗରର ଉତ୍ତାଳ ଢେଉରେ ସ୍ୱପନେ ମୁଁ ଭାସୁଥିଲି
ହସିବ ମୋ ଘର ଅଭାବ ଅନ୍ଧାର ଘୁଞ୍ଚିବ ବୋଲି ଭାବିଲି |
ଗରବରେ ଛାତି ଫୁଲିଉଠେ ମୋର ଚାଲିଲି ନିଶ ଫୁଲାଇ
ଖଣ୍ଡିଆ କୁଡ଼ିଆ କୋଠା ହୋଇଯିବ ସବୁ କରିଦେବ ଭାଇ |
ଦୁଇମାସ ପରେ ଶୁଣିଲି ସହରେ ଆପେ ବିଭା ହୋଇଲାଣି
ଛାତିରେ ପଥର ପଡ଼ିଲା ମୋହର ବଡ଼ିମା ହେଲାଣି ପାଣି |
ବଡ଼ ଭାଇ ଥାଉଁ ସାନ ବାହା ହେଲା ଲୋକନିନ୍ଦା ଚହଟିଲା
କପାଳରେ କର ମାରିବାହିଁ ସାର ସବୁ ତ୍ୟାଗ ଭୁଲିଗଲା |
ପର୍ବତ ସମାନ ରାଗ ଅଭିମାନ ନେଇ ତା ପାଶକୁ ଗଲି
ପାଖେ ପାଇ ତାକୁ ମୂରବୀ ପଣରେ ଅନେକ ଧିକାର କଲି |
ମଉନ ହୋଇସେ ସବୁ ଶୁଣୁଥିଲା ଉଠିଲା ଗର୍ଜନ କରି
ବାରୁଦରେ ସତେ ନିଆଁ ଲାଗିଗଲା କ୍ରୋଧେ ହୋଇ ପରଜ୍ୱଳି |
ତୁମ କଥା ତୁମେ କର ମୁଁ ଜୀବନେ ଫେରିବିନି ଆଉ ଘର
ମୋ ଉପରେ ତୁମ ନାହିଁ ଅଧିକାର ନିଜ କଥା ନିଜେ କର |
ଜୀବନ ଯାବତ ସକଳ ମିହନ୍ତ ହୋଇଲା ପାଣିର ଗାର
ମୁଁ କିଏ ବୋଲି ନିଜକୁ ପଚାରି ଲେଉଟି ଆସିଲି ଘର |
ବିଚିତ୍ର ଦୁନିଆ ନହୁଅ ଛାନିଆ କେହିନୁହେଁ ଆପଣାର
ଆସିଛୁ ଏକଲା ଯିବୁ ତୁ ଏକଲା ମିଛମାୟା ଏ ସଂସାର |
ଆପେ ଆପଣାକୁ ଚିହ୍ନରେ ମାନବ ନିଜେ ହୁଅ ନିଜଗୁରୁ
ଧର୍ମ ଏକା ସତ୍ୟ ଭଗବାନ ସତ୍ୟ ପଢ଼ ନିଜ ହୃଦୟରୁ |