ତମେ
ତମେ
ମୁଁ ଲେଖିଲି ଲୁହର କବିତା
ତମେ କହିଲ ହସ
ମୁଁ ପଢ଼ିଲି ପୁରୁଣା ଡ଼ାଇରୀ
ତମେ କହିଲ ଭୁଲିଯାଅ
ମୁଁ କହିଲି ନୈରାଶ୍ୟର କଥା
ତମେ କହିଲ ଆଗକୁ ବଢ
ମୁଁ କହିଲି ପଥସାରା କଣ୍ଟା
ମୋ ପାଇଁ, ତମେ କହିଲ
ଫୁଲର ବଗିଚା, ଏଇ ବୋଧେ
ଆଶ୍ୱାସନା ଜୀବନକୁ ରଙ୍ଗୀନ
କରିବାର, ହଜି ଯାଇଥିବା ରଙ୍ଗ
ଫେରାଇ ଆଣିବାର, ସ୍ମୃତିର
ବେଳାଭୂମିରେ, ଶାମୁକା ସାଉଁଟିବାର
ତୋଳିଛ ମୋ ପାଇଁ ଘର ଟିଏ
ମାନସ ପଟରେ, ଯେଉଁଠି ଖାଲି
ସୁନ୍ଦର ଆଉ ସାକାର ସ୍ୱପ୍ନର
ତାଜମହଲ ଟିଏ, ଯାହା ମୋ ପାଇଁ
ପ୍ରେରଣା ର ଉତ୍ସ, ଝରଣା ଟିଏ
ଯାହା ଦେହରେ ମୁଁ ନିତି ସ୍ନାନ କରେ
ଆଉ ଅଲୋଡ଼ା ଅଶୁଭ ସ୍ମୃତିକୁ ଝାସ ଦିଏ
ନୂଆ ରୂପ ନିଏ ଗଢିବାର ପ୍ରତିଶୃତିରେ
ଅଙ୍ଗିକାରବଧ ହୁଏ ।