STORYMIRROR

SARATA KUMAR DAS

Romance

4  

SARATA KUMAR DAS

Romance

ତମେ ଆସିବ ବୋଲି - ୧୨

ତମେ ଆସିବ ବୋଲି - ୧୨

1 min
121

ତମେ ଆସିବ ବୋଲି ତ

ମେଘର ଚାଦର ତଳେ ହସିଲାଣି ଧରା

ମହମହ ବାସିଲାଣି ଆଷାଢର ଭିଜା ଭିଜା ମାଟି

ପତ୍ର ଗହଳରେ ମୃଦୁ କୋଳାହଳ 

କିଚିରି ମିଚିରି ପୁଣି ନାନା ଗୁଂଜରଣ

ଗହମ ନିଦରୁ ଉଠିଲାଣି କଅଁଳ ସକାଳ

ଅଳସ ଭାଙ୍ଗୁଛି ସବୁଜ କେଦାର

ନଈପଠା ଗୋହିରି ବିଲରେ ,  

ପ୍ରୀତିର ସୁଗନ୍ଧେ ଉବୁଟୁବୁ ଚକୋର ତକୋରୀ

ଭିଜିବାକୁ ପ୍ରେମର ପହିଲି ବର୍ଷାରେ  ।

ମୁଁ କିନ୍ତୁ ରାତି ସାରା ଉଜାଗର

ତମ ପାଦ ନୂପୁରର ଛମ୍ ଛମ୍ ସୁରେ

ଦେହ ମନ ପ୍ରାଣ ମୋର ଆଚ୍ଛାଦିତ

ତମ ଅପରୂପ ଚାହାଣୀର ନୀଳ ପରଦାରେ

ଲମ୍ଫ ପ୍ରଦାନ କରେ ମୁଁ ବାର ବାର

ତମ ଗୋଲାପି ସ୍ମୃତିର ଉତ୍ତାଳ ଢେଉରେ  

ଭିଜୁଥାଏ ଏକା ଏକା ତୁମରି ପ୍ରେମରେ

ପ୍ରତି ମୁହୂର୍ତ୍ତରେ, ପୁଣି ବିନା ବର୍ଷାର ବିନ୍ଦୁରେ  ।

ପ୍ରିୟତମା !

କେତେ କଷ୍ଟ ସତେ ହଜିବାରେ ତମରି ପ୍ରୀତିରେ !

ପୁଣି ମଜ୍ଜିବାରେ ତମରି ଗୀତିରେ  

କେତେ କଷ୍ଟ ସତେ ନିତି ତମ ବାଟ ଚାହିଁ ବସିବାରେ !

ସତରେ ,

ଅସହ୍ୟ ହେଲାଣି ଯନ୍ତ୍ରଣାର ଜଉଘର

ଅସହାୟ ଲାଗେ ମାଟିରୁ ଆକାଶ

ବିଳପି ଉଠେ ଆତ୍ମା ମୋର ବେସୁରା ରାଗରେ

କେଉଁ ଏକ ନିଛାଟିଆ ଅନ୍ଧାର ରାତିରେ ;

ଫିକା ଫିକା ଲାଗେ ଜୀବନର ରଙ୍ଗ

ଚାଲିଯାଏ ଦୂରକୁ ଦୂରକୁ କୋଳାହଳ ଯେତେ

ବନ୍ଧାପଡିଯାଏ ମୋ ବର୍ତ୍ତମାନ ଓ ଭବିଷ୍ୟ

ତମ ମନ୍ତ୍ରମୁଗ୍ଧ ଚେନାଏ ହସର ସ୍ନିଗ୍ଧ ଆକର୍ଷିଣେ  ।

ତଥାପି,

ଜାଣେନା ମୁଁ କାହିଁ ଆଜି ଏତେ ଚଳଚଂଚଳ,

ଏତେ ଅନ୍ୟମନସ୍କ , ବିଚଳିତ ମଧ୍ୟ 

ଏତେ ସଜବାଜ ପୁଣି ଏତେ ଗୁଂଜରିତ

ଶାଣିତ କାହିଁକି ମୋ ସିକ୍ତ ଅନୁଭବ 

ବେଦନା ବିଧୁର ପ୍ରାଣର ଯେତକ ଆବେଗ !

ଖାସ୍ ତମେ ଆସିବ ବୋଲି ତ

ମଧୁସିକ୍ତ ଆମନ୍ତ୍ରଣ ପବନରେ ,ବର୍ଷାରେ

ପୁଣି ସାଗରର ଚୂନା ଚୂନା ଢେଉରେ  

ଯନ୍ତ୍ରଣା ର ଛନ୍ଦରେ ଗାଏ ମୁଁ ଗଜଲ

କେବଳ ତମ ପ୍ରତୀକ୍ଷାରେ 

କେବଳ ଯାହା ତମ ପ୍ରତୀକ୍ଷାରେ  ।


Rate this content
Log in

Similar oriya poem from Romance