STORYMIRROR

Gargi Mishra

Romance Classics Inspirational

4  

Gargi Mishra

Romance Classics Inspirational

ତିତିକ୍ଷା

ତିତିକ୍ଷା

1 min
284


ନିଚ୍ଛlଟିଆ ପାହାନ୍ତା ପ୍ରହର,

ଶୂନଶାନ ସନ୍ଧ୍ୟା, ରାତ୍ରୀର ନିର୍ଜନତାକୁ ଭାଙ୍ଗି 

ମୋ ହୃତପିଣ୍ଡରେ ବନ୍ଦୀ

ପ୍ରତିଟି ଶବ୍ଦାୟିତ

ଧକଧକର ତରଙ୍ଗରେ ଛନ୍ଦିହୋଇ 

ରହିଥିବା ଏକ ଜୀବନ୍ତ ପ୍ରତିଶୃତି

ଆଗେଇନେଇ ଚାଲିଛି

କାହିଁ କେତେକାଳୁ ମୋତେ

ଆଉ ମୋ ପ୍ରତ୍ୟାବର୍ତନର

ବାଟ ଚାହିଁ ମିଠା କଷା

ଉଦବେଗରେ ଲତପତ

ତିତିକ୍ଷାର ଦ୍ୱାହି ଦେଇ

ପ୍ରତୀକ୍ଷାର ପ୍ରଦୀପଟିଏ କରୁଛି

ଶ୍ରୀପୟରେ ଅହରହ ନିରବ ପ୍ରାର୍ଥନା

ଦୂର ପାହାଡ଼ର ଛାତିଚିରି କ୍ରମବର୍ଦ୍ଧିଷ୍ଣୁ ରୂପେ 

ଅଙ୍କାବଙ୍କା ରେଖା ଟାଣି

ସକାଳର ନିର୍ଝରିଣୀ

ଟିଏ ବହିଯାଇ

ରୂପାନ୍ତରିତ ହେଉଥିବା

ଦିବସର ତଟିନୀ ଦିନେ ନା ଦିନେ 

ସ୍ପର୍ଶ କରିବାର ଅଛି ରାତ୍ରୀର ମହୋଦଧିକୁ

ମୋ ଆଖିରୁ ନିଗିଡିଥିବା

ବିନ୍ଦୁ ବିନ୍ଦୁ ଲୁହର ରାତିମାନଙ୍କୁ 

ତୁମ ଆଞ୍ଜୁଳା ମୁଦ୍ରାରେ

ପାତିଥିବା ପାପୁଲି ମଝିରେ

ସମାହିତ କରିବାକୁ

ମୁଁ ଆସିବି l

ଆମ ଦୀର୍ଘଦିନ ଅପେକ୍ଷାର କାଚକାନ୍ଥ ଅତିକ୍ରମ 

କରି ବନ୍ଧୁତାର ସମ୍ମାନ ରଖିବାକୁ,

ଏବେବି ଜୀବିତ ଥିବା ମାନବୀୟ ଆବେଗ

ର ମୌଳିକତାକୁ ସର୍ବସମକ୍ଷରେ

ବିଶ୍ୱାସ, ଗୌରବ ଆଉ ଦମ୍ଭର ମୂଳଦୁଆ ଉପରେ 

ଦୃଷ୍ଟାନ୍ତର ଶ୍ରୀମନ୍ଦିର ଏ ଗଢି ତୋଳିବାକୁ 

ମୁଁ ଆସିବି ଆଉ ଆସିବି ସ୍ୱଚକ୍ଷୁରେ ଦେଖିବାକୁ

ସେ ଗର୍ଭଗୃହରେ ନିର୍ଲିପ୍ତ ଈଶ୍ୱରଙ୍କୁ l

ତୁମର, ମୋର ଆଉ

ଆମ ସହିତ ଜଡିତ ପ୍ରତିଟି ଆତ୍ମାଙ୍କ 

ସମ୍ମାନ ଓ ମର୍ଯ୍ୟାଦାର

ଏରୁଣ୍ଡି ବନ୍ଧକୁ ଉଲଂଘନ ନୁହେଁ, ବରଂ 

ଆମ ହାତ ପା'ନ୍ତା ଆକାଶରେ

ନିଷ୍ପ୍ରଭ ହୋଇଆସୁଥିବା ଆସମାନ ତାରାକୁ 

ବାସ୍ତବତାର ସଂଜୀବନୀ ସିଞ୍ଚି 

ଅମରତ୍ତ୍ୱର ଉଚ୍ଚତାକୁ

ଲଙ୍ଘିନେବାର ସଂକଳ୍ପରକ୍ଷା

କରିବାକୁ ବଦ୍ଧ ପରିକର

'ମୁଁ' ଆସିବି l 

ହୃଦୟଟିଏ ସ୍ୱୀକାର କରିଛି

ହୃଦୟ ନିଃସୃତ ନିମନ୍ତ୍ରଣକୁ

ଏ ବନ୍ଧୁତାର

ଦୃଢ଼ତା କିଏ କରିବ ଆକଳନ

ଯାହାର ମୂଳ ଗଭୀରରୁ ଗଭୀରତର

ମାନବିକତାର ରଙ୍ଗପିଇ ପିଇ

ଗଗନ ପବନରେ

ଆନ୍ତରିକତାର ଗାଥା ବଖାଣୁଥିବା ଧ୍ବଜା

ଛୁଇଁବ ଦିନେ ସୁଉଚ୍ଚ ଶିଖର l

ଏମିତି ଏକ 

ମୁକ୍ତିର ନୂଆ ଇତିହାସ ସୃଷ୍ଟି କରିବାକୁ

ମୁଁ ଆସିବି ବନ୍ଧୁ 

ତୁମ କାନ୍ଧରେ କାନ୍ଧ ମିଶାଇ

ମୋ ଦେଶ, ମୋ ଭୂମି, ମୋ ଝରଣା,

ମୋ ପାହାଡ଼, ମୋ ଉପତ୍ୟକା, ମୋ କ୍ଷେତ,

ମୋ ସବୁଜ ବର୍ଣାଳୀ, ମୋ ଗାଁ, ମୋ

ମାଆ କୋଳକୁ

ମୁଁ ନିଶ୍ଚେ ଫେରି ଆସିବି

ତେବେ ତୁମେ ଜାଣିବ ବନ୍ଧୁ ,

କଥାରେ କଥାରେ ଗଢ଼ା ସମ୍ପର୍କ ଛୋଟନୁହେଁ 

ବାରିହୋଇ ପଡୁଥିବା

ସମ୍ପର୍କଟିଏ ଆମ ସୀମିତ ନୁହେଁ

ନୁହେଁ ତାର ସଜ୍ଞା ନାରୀ,ପୁରୁଷ,

ସମାଜ, ଶୃଙ୍ଖଳା, ଜାତି,ଯଜ୍ଞ, 

ସଂକୀର୍ଣ୍ଣତା ଭିତରେ ଆବଦ୍ଧ l

ସେଦିନ 

ନିନ୍ଦା, ପ୍ରଶଂସା, ଯୁକ୍ତି, ଭକ୍ତି, ଶାପ, ଆଶିଷରୁ

ନିମିଷକେ କ୍ଷାନ୍ତ ହେଉଥିବା 

ପ୍ରତି ମୁହେଁ ମୁହେଁ

ଶୁଣିବାକୁ ପାଇବ ତୁମେ 

ଏ ତିତିକ୍ଷାର ମୁହୂର୍ତ ମୁହୂର୍ତ ଆମର 

ସତ୍ୟ, ଐଶ୍ୱରୀୟ, ଶାଶ୍ୱତ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance