ଥୁଣ୍ଟା ଗଛ
ଥୁଣ୍ଟା ଗଛ
ଗାଁ ଶେଷ ମୁଣ୍ଡ
ମଶାଣି ମଝିରେ
ବତୀଖୁଣ୍ଟ ଟି ପରି
ଦଣ୍ଡାୟମାନ ଥୁଣ୍ଟା ଗଛ ,
ବୟସର ପ୍ରତିଟି ମୁହୂର୍ତ୍ତ
ଗୋଟିଏ ଗୋଟିଏ ପତ୍ର ହେଇ
ଛଡ଼ି ଗଲା ପରେ
ଖରା ବର୍ଷା ଶୀତ କାକର
ସବୁ ଏକାକାର, ସବୁଠୁ ନିଜର
ନା ଅଛି ଆଗ ନା ଅଛି ପଛ ।
ଦିନ ଥିଲା
ଅଗଣତି ପତ୍ର ଫୁଲରେ
ଭରି ଯାଇଥିଲା ତା କାୟା
ଯେମିତି ଧୃତରାଷ୍ଟ୍ରର କୋଳ
ଫଳ ଭାରାରେ
ଆମ ଗାଁ ନିଧି ବୁଢ଼ା ସମ
ନଇଁ ଯାଉ ଥିଲା ତା ଅଣ୍ଟା , ତା ଡାଳ,
ଫୁଲେ ଫୁଲେ ପ୍ରଜାପତିଙ୍କ ଭିଡ଼
ଡାଳେ ଡାଳେ ପକ୍ଷୀଙ୍କର ନୀଡ଼
ମଧ୍ୟାହ୍ନକୁ ପଛ କରି ଦିଏ ଖରାବେଳ ।
ଅନେକ ଏନ୍ତୁଡ଼ି ପାଉଁଶ
ଢଳା ଯାଇଛି ତା ମୂଳରେ
ଅନେକ ଜିଜ୍ଞାସା ର ସୂତୁଲି
ବନ୍ଧା ଯାଇଛି ତା ଡାଳରେ
ଅନେକ ଜୁଇ ଜଳିଛି ତା ସାମ୍ନା ରେ ,
ଆଖି ପିଛୁଳାକେ
ନିଆଁ ହେଇ ଗଲା ପାଉଁଶ
ଏଇଠି ଆରମ୍ଭ ଏଇଠି ଶେଷ ।
ପଥ କ୍ଳାନ୍ତ ପଥିକର ବିଶ୍ବାସ
ଗାଈଆଳ ଛୁଆର ନିଶ୍ବାସ
ଗୋବର ଗୋଟେଇ ଝିଅର ଭରସା
ବୁଢ଼ି ମାଳିଆଣି ର ବେଉସା
ସବୁ କିଛି ଝଡ଼ି ଯାଇଛି ପତ୍ର ସହ,
ପଡ଼ି ରହିଛି ମୁଠାଏ ଶଙ୍ଖା
ପୁଞ୍ଜାଏ ସିନ୍ଦୂର ଫରୁଆ
ଏଣେତେଣେ କୋଦାଳ ବେଣ୍ଟ
ଗୋଟେ ଦି'ଟା କେଞ୍ଚଣା ବାଡ଼ି
ଛିଣ୍ଡା ମଶିଣା , ଭଙ୍ଗା ମାଟି ହାଣ୍ଡି
ଗୁମୁରି କାନ୍ଦୁଛି ଅସଂପୂର୍ଣ୍ଣ ଇହ ,ଅହ।
ଥୁଣ୍ଟା ଗଛ ସବୁ ଦେଖୁଛି
ଜଳଜଳ ହେଇ
ସବୁ ଘଟଣ ଅଘଟଣର
ଏକ ମାତ୍ର ମୂକସାକ୍ଷୀ ହେଇ
ଗଛର ଶେଷ ଭାଗରେ
ଅନେଇ ବସିଛି ଶାଗୁଣା ,
କେତେବେଳେ ଶବ ଛାଡ଼ି
ଚାଲି ଯିବେ ଆତ୍ମୀୟ ସ୍ବଜନ
ଦେଇ ନପାରି ଶବଦାହ ପାଉଣା ।
କେହି କିଛି ନେଇକି ଯାଏନି
ଧନ, ଦାରା, ସୂତ
ମୁ୍ଁ ଆଉ ମୋର
ନିମିଷକେ ଭୂତ ଆଉ ପ୍ରେତ
ସବୁ ରଖିକି ଯାଏ
ଦେଖିକି ଯାଏ
ଶିଖିକି ଯାଏ
ମୃତ୍ୟୁ ଛଡା ସବୁ ମିଛ ,
କେହି ନୁହେଁ କାହାର
ନିଜ ଛାଇ ନୁହେଁ ନିଜର
ରକ୍ତ ବି ତ ନୁହେଁ ରକ୍ତର
କାମନା, ବାସନା, ଜୀବନ, ଯୌବନ
ଆଜି ଅଛି କାଲିକି ନାହିଁ
ଶେଷ ସାକ୍ଷାତ ଏଇ ଥୁଣ୍ଟା ଗଛ ।