ଥୁଣ୍ଟା ଗଛ
ଥୁଣ୍ଟା ଗଛ
ଗଗନକୁ ଚାହିଁ ଦିବସ ଗଣଇ
ଭାସଇ ଅତୀତ ସ୍ମୃତି
କେତେ ଶୀଘ୍ର ଛାଡେ ଯୌବନ ବକଳ
ସଙ୍ଗେ ଘେନି ଯେତେ ଶକ୍ତି ।
ଦିନ ଥିଲା କେତେ ଆନନ୍ଦ ଉଲ୍ଲାସେ
ପୁରି ଥିଲା ଘର ଦ୍ଵାର
ସନ୍ତାନ ଗହଣେ ନିଶ୍ଚିନ୍ତ ମନରେ
ସୁଖ ନଦୀ କରି ପାର ।
କୋମଳ ଡେଣାଟି ଟାଣ ଧରି ନେଲା
ଚଞ୍ଚୁ ଖୋଜି ନେଲା ଫଳ
ଖଣ୍ଡି ଉଡା ପର ଆକାଶ ଛୁଇଁଲା
ନଅଣ୍ଟେ ତାହାକୁ ବେଳ ।
ଆସିଲା ବସନ୍ତ ବହିଲା ମଳୟ
ଚମ୍ପା ମଲ୍ଲୀ ବାସ ଛାଡେ
ନବ ପଲ୍ଲବର ଆଗମନ ପାଇଁ
ପୁରୁଣା ପତ୍ରକୁ ତଡେ ।
ଏପରି ନିୟମ ବାରବାର ଆସି
ଅଟକେ ନିୟତି କୋଳେ
ପୁର୍ନବାର ଆଉ ଫେରି ଚାହିଁଲାନି
ଥୁଣ୍ଟା ଗଛଟାର ମୂଳେ ।
ଅଜଣା ଅଶୁଣା ବିହଙ୍ଗର ମନ
ଉଡ଼ି ଆସି କଲା ବସା
ନିରାପଦ ଏହି ଥୁଣ୍ଟା ବୃକ୍ଷ ଶାଖା
ନାହିଁ ତା'ର ରାଗ ରୁଷା ।
ପଲ୍ଲବ ବିହୀନ ହେଲେ ବି ଜୀବନ
କରୁ ଥାଏ ଉପକାର
ରକତ ସଂପର୍କ ଯାଉ ଥାଏ ଦୂରେ
ମୂଲ୍ୟ ବୁଝୁ ଥାଏ ପର ।
