STORYMIRROR

Ajaya Mahala

Romance Others

4  

Ajaya Mahala

Romance Others

ଥାଉ ସେତିକି

ଥାଉ ସେତିକି

2 mins
260


ଅଦିନିଆ ମେଘ 

ଯେତେବେଳେ କଥା ନ ମାନି

ବର୍ଷି ଯିବାକୁ ଚାହେଁ

ଆଉ କୁଆ ପଥର ମୋତିରେ 

ତୁମ ଅଣ୍ଟିକୁ

ଭର୍ତ୍ତି କରିଦେବାକୁ ଚାହେଁ,

ସେତିକି ବେଳେ

"ବାସ, ଥାଉ ସେତିକି"

"ଦରକାର ନାହିଁ" 

"ଆରେ ବାବା, ହେଲା" କହି 

ରୋକିବାକୁ ଚେଷ୍ଟା କର ତାକୁ

କିନ୍ତୁ ବର୍ଷା ସତକୁ ସତ 

ଯେବେ ବନ୍ଦ ହୋଇଗଲେ

ପୁଣି ସେହି ମାଗିଲା ମାଗିଲା ଆଖିରେ

ବୁଲି ଚାହଁ ଆକାଶକୁ 

ଆଉ ଫେରି ଦୂରକୁ ଭାସି ଯାଉଥିବା 

ବାଦଲ ଆଡେ ବି ।



କାହାର ଅଭିଯୋଗ ଶୁଣି 

କେବେ ଶ୍ରାବଣ ରୋକି ଯାଇଛି ?

ମେଘ ଯଦି ସମସ୍ତଙ୍କ ଅଭିଯୋଗ

ଆଉ ଅନୁରୋଧ ନେଇ 

ଭାବି ବସୁ ଥାଆନ୍ତା

ତାକୁ ଆଜି କେହି

ମେଘ ବୋଲି କହୁ ନ ଥାନ୍ତେ ।

ଅତର୍କିତ କାହାକୁ ଭିଜେଇ ଦେବାରେ ତ

ମେଘର ବଦନାମୀ ―

ଆଉ ଲୋକପ୍ରିୟତା ବି ।


ତୁମକୁ ସତରେ କଅଣ 

ଏମିତି ହେବାଟା ପସନ୍ଦ ନୁହେଁ ?

ଇଚ୍ଛା ମୋର କେତେ 

ଆଉ ମାନନ୍ତିନି ମୁଁ

ତୁମର କୌଣସି ଅନୁନୟ 

ତୁମକୁ ସବୁକିଛି ଦେଇ ଦିଅନ୍ତି

ମୁଁ ମେଘ ହୋଇ 

ମୋ ପ୍ରେମ ବୃଷ୍ଟିରେ

ବକ୍ଷକୁ ତୁମର

ଚେରାପୁଞ୍ଜି କରି ଦିଅନ୍ତି

ପ୍ରେମର ଏ ମୌସୁମୀକୁ 

ଦୀର୍ଘ କରି ଦିଅନ୍ତି -

ଶୁଖିବାକୁ ଦିଅନ୍ତିନି କେବେ

ତୁମ ଓଦା ଲୁଗା ସବୁକୁ



ଏକା ବେଳକେ ତୁମ ପାଇଁ ଆଣିଥିବା

ଆଠ ଖଣ୍ଡ ଶାଢ଼ୀ ଦେଖି

ଚାହାଣୀ କୁ ତୀକ୍ଷ୍ଣ କରିଦେଇ କୁହ

"ଗୋଟିଏ ଆଣି ଥିଲେ ଚଳି ନ ଥାନ୍ତା?"

ପର ମୁହୂର୍ତ୍ତରେ ଛାତିରେ 

ସବୁଗୁଡ଼ାକ ଚାପି ଧରି 

ଲାଗିଯାଅ ଭାବିବାକୁ

କେଉଁ ଶାଢ଼ୀ ସହ କେଉଁ ଶାଢ଼ୀ

ମ୍ୟାଚିଙ୍ଗ କରିବ ନେଇ । 

"ପାଣି ପିଇବ?" କହି 

କିଚେନ ଭିତରକୁ ଦୌଡିଯାଅ

ଲେଉଟି ଆସ 

ମୁହଁରେ ଛଲକୁଥିବା ହସ

ଆଉ ହାତରେ ଛଲକୁଥିବା

ପାଣି ଗ୍ଲାସ ଧରି


ପାଣି ତ ଯାହା ଏକ 

ସ୍ଵାଦହୀନ ରଙ୍ଗ ହୀନ ବାହାନା

ମୁଁ ଟିକେ ପିଇ 

ଗିଲାସକୁ ରଖିଦିଏ

ସେ ହସର ମୂଲ୍ୟ ଆଠଟି 

ଶାଢ଼ୀର ମୂଲ୍ୟଠୁଁ 

କେତେ ଯେ ଅଧିକ !


ଆଶ୍ଚର୍ଯ୍ୟ ହୁଏ 

ତୁମେ 'ନା' ଭିତରେ 

କେମିତି ହଁ ଟିଏ ଲୁଚାଇ ରଖ

ଆଉ ବିରୋଧ ଭିତରେ

ସବୁକିଛି ଆବୋରିବାର ପଣ ବି

ଏଇଥିପାଇଁ ତ 

ନିଜ କ୍ଷମତାଠୁଁ ଅଧିକ 

ହାତ ବଢ଼ାଇ ଦିଏ

ଦୁନିଆଁର ସବୁ ସୁନ୍ଦର ଜିନିଷ

ତୁମ ହାତରେ ଦେବା ପାଇଁ ।

ତୁମ ପାଇଁ ସ୍ୱପ୍ନ ଗୋଟାଇବାକୁ

ପାହାଡ଼ ଚଢିଲା ବେଳେ

ତୁମେ 'ସେତିକି ଥାଉ' ର 

ଗିରିପଥଟିଏ ତିଆରିକରି 

ଆଗରେ ରଖି ଦିଅ

ଏମିତି ଗିରିପଥ 

ଦେଖିବାକୁ ଯାହା ଦୁର୍ଗମ ଖାଲି 

କେଡେ ସହଜରେ 

ସେ ସବୁ ମୁଁ ଅତିକ୍ରମ କରିଯାଏ

ସାହସ ଓ ବିଶ୍ୱାସରେ

 

କିନ୍ତୁ ଏଥିରେ ଆଶ୍ଚର୍ଯ୍ୟ ହେବାର 

ନୂଆ କଥା କିଛି ନାହିଁ

ମନର ଭୂଗୋଳ ପଢିଥିବା

ପ୍ରେମର ଏ ପୁରାତନ ରାସ୍ତାରେ

ମୁଁ ପରିବ୍ରାଜକଟିଏ

ତୁମ ମନର କେଉଁ କେଉଁ ରାସ୍ତାରେ 

ସମ୍ଭାବିତ ଗିରିପଥଟିଏ ପଡିପାରେ

ବହୁତ ଆଗରୁ 

ମୁଁ ତାହା ଜାଣି ପାରିଥାଏ ।


  

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance