ତାତି
ତାତି
ଆଶାର ଆକାଶ ଜଳେ ଆଜି ଖାଲି
ବର୍ଷୁଛି ଖରାର ଧାସ
କାମନା ତାତିରେ ଖଇ ଫୁଟିଯାଇ
କଅଁଳ କଢି ଧ୍ୱଂସ।।
ହୃଦୟ ବଗିଚାରେ ଭାବର ଗଛଟେ
ଉଧୋଉ ନାହିଁ ତ କାହିଁ
କଂକ୍ରିଟ୍ ଜଙ୍ଗଲେ ପଣ ପଣ ନିଦାଘ
ଜଳିଯାଏ ମନ ଭୂଇଁ।
ବେଦନାର ଫର୍ଦ୍ଦ ଲେଖୁଛି ଚିଠାଉ
ଲକ୍ଷ୍ୟ କରେ ଆତ୍ମହତ୍ୟା
ମଣିଷ ପଣିଆ ଅବକ୍ଷୟ ଏ ଧରାରୁ
ଆଣେ ଅମଣିଷ ବାତ୍ୟା।
ହସର ଆଲୁଅ ଲିଭି ଯାଇଅଛି
ଆମରି ସହର ଓଠରୁ
ସୁଖ, ଶାନ୍ତି ଖୁସି ଯାଇଛନ୍ତି ରୁଷି
ଉଦଭ୍ରାନ୍ତ ମଣିଷ ଭିତରୁ।
କେଉଁଠୁ ଆସିବ ଆଶା ସବୁଜିମା
ମାନବୀୟ ରୋକିବା ପାଇଁ
ଭିତରେ ବାହାରେ ମୃତ୍ୟୁର ରାଜୁତି
ଜିଇଁବା ନିଏ ଚୋରାଇ।
ଯୁଦ୍ଧ ଭୟ , ଧର୍ଷଣ ତାତିରେ
ପୃଥିବୀ ଯିବ କି ସରି
ଧରାକୁ ସରା ମଣୁଥିବା କିଂକର୍ତ୍ତବ୍ୟ ମଣିଷ
ଧ୍ୱଂସ ନେବ କି ବରି ।