ହୃଦ ବନ୍ଦୀ
ହୃଦ ବନ୍ଦୀ
ବିଚିତ୍ର ଏ ଦୁନିଆଁ
ସମୟର ଡେଣା
ସମ୍ପର୍କର ଡୋର
ଏବଂ ବନ୍ଧୁତା ମହୁ ।
ସୂର୍ଯ୍ୟ ଘଡି
ନାଲିଆ କୋଠା
ଏଜୁକେସନ ଡିପାଟମେଣ୍ଟ୍ ଡାକିଲେ
କିଛି ଖୁବ୍ ମନେ ପଡେ
ମନେ ପଡେ
ଦେଵଦାରୁ ଗଛ ତଳ
ସେଠି ବସିଥିବା ଦୁଇ ହଳ
ପ୍ରେମ ପକ୍ଷୀ।
ବେଗବତୀ ସମୟ
ଜଞ୍ଜାଳ ମୟ ବର୍ତ୍ତମାନ
ପଛକୁ ଚାହେଁ
ତୋ ମୁହଁ
ଦିଶି ଯାଏ
ମୋ କାନ୍ଥ
ଛାତ
ଡାଇରୀ
ହୃଦୟ ଆଲବମ
ଏବଂ
ମୋ ସଂସାର ଦୂରଦର୍ଶନରେ।
ହଷ୍ଟେଲ କ୍ୟାଟିନ ହେଉ କି ମାଲାବାର
ଅବା ଦାମ ମହାରାଜ ଚାଟ୍
କିମ୍ବା କମର୍ସ ବ୍ଲକକୁ ଲାଗି
ଠିଆ ହୋଇଥିବା ଆମ୍ବଗଛ ତଳ
ଗୁପ୍ ଚୁପ୍ ,ଚାଟ୍ ,ଆଇସିକ୍ରିମ ଠେଲା ଗାଡି
ସେଠି ଛଡା ଛଡି ହୋଇ ଖାଉଥିବା
ଚାରୋଟି ହାତ।
ତୁ ମୋ ବନ୍ଦୀ
ଏଇ ମୋ ହୃଦ କାରାଗାରରେ
ହାତ ଛାଡି ଆକାଶ ମୋହରେ
ତୁ ସିନା ଚାଲିଗଲୁ
ମୋ ହୃଦୟରୁ କଣ ଯାଇ ପାରିବୁ !
ମୁଁ ବି ଆଗକୁ ବଢିଛି
ସଂସାର କରିଛି
ତୁ କିନ୍ତୁ ମନ ପଡୁ ନିହାତି ନିରୋଳା ମୁହୂର୍ତ୍ତରେ
ବେଜାଏ ଦରଜ ଦେଉ
ମିଠା ମିଠା ଯନ୍ତ୍ରଣାରେ ପୋତୁ
ଗଲୁ ତ ଗଲୁ
କେବେ ସ୍ୱପନରେ
କେବେ ଗୋପନରେ ଆସି
ଏତେ କଲବଲ କରୁ କାହିଁକି ?
ଶୁଣ ତୁ ମୋ ପରି
ମୋତେ ଆଦୋୖ ମନେ ପକାଇବୁ ନାହିଁ
ମୁଁ ଚାହେଁନି
ମୋ ଭଳି ଅବ୍ୟକ୍ତ କଷ୍ଟ ତୁ ପାଆ
ଯେଉଁଠି ଅଛୁ
ଖୁସି ଓ ସୁସ୍ଥତା ହୁଅନ୍ତୁ ତୋ ଛାଇ
ତୋ ବେହେଡା ଦାନ୍ତ ଫାଙ୍କର ହସ
ଶହେ ପୁନିଅଁ ଚାନ୍ଦଠୁ ଅଧିକ ଝଲସୁ
ତୋ କଣ୍ଠର କୁହୁ ସ୍ୱନ
ସବୁଦିନ ଥାଆନ୍ତୁ ତୋ ସହ
ଗାଉଥା
ମନ ମୋହୁଥା
ଏବଂ ତୁ
ସବୁଦିନ ତୋ ପରି ଥା
ମୁଁ ତୋତେ ଏମିତି ଭଲ ପାଉଥାଏ
ତୁ ମୋ ହୃଦ ବନ୍ଦୀ ହୋଇ ଥା।

