ତାରା
ତାରା
ସୁରୁଜ ଡୁବିଲେ ପାଦ ଚିପିଚିପି
ନଇଁଆସେ ଯେବେ ରାତି
ମିଟିମଟି କରି ତାରା ଫୁଲ ଫୁଟେ
ହସଇ ଆକାଶ ଛାତି ।
ସାରା ଆକାଶରେ କୋଟିକୋଟି ତାରା
ହୁଏନାହିଁ ତାଙ୍କୁ ଗଣି
ତାରାଙ୍କ ଭିତରେ ନକ୍ଷତ୍ର ଅଛନ୍ତି
ରହିଛନ୍ତି ଗ୍ରହ ପୁଣି ।
ଆଖି ମିଟିମଟି କରେ ଯେଉଁ ତାରା
ଅଟଇ ନକ୍ଷତ୍ର ସିଏ
ସୁରୁଜ ପରିକା ଅଗ୍ନିପୀଣ୍ଡ ସେତ
ସବୁବେଳେ ଜଳୁଥାଏ
ଯେଉଁ ତାରାଙ୍କର ଆଲୁଅତ ସ୍ଥିର
ଅଟନ୍ତି ସେ ପରା ଗ୍ରହ
ସୁରୁଜଙ୍କୁ କରି କେନ୍ଦ୍ର ଗ୍ରହମାନେ
ଘୂରୁଥାନ୍ତି ଅହରହ ।
ପୃଥିବୀ ସହିତ ନଅଗୋଟି ଗ୍ରହ
ସୁରୁଜର ରହିଛନ୍ତି
ଦୁଇଗୋଟି ଗ୍ରହ ତାରା ହୋଇ ପରା
ଆମକୁତ ଦିଶିଥାନ୍ତି ।
ସଞ୍ଜ ଆକାଶରେ ଉଜ୍ବଳ ତାରାଟି
ଶୁକ୍ର ଗ୍ରହ ଅଟେ ସେତ
ତାରାଙ୍କ ମେଳରେ ନାଲି ତାରାଟିତ
ମଙ୍ଗଳ ଭାବରେ କ୍ଷାତ ।
ଆଉସବୁ ଗ୍ରହ ତାରାଙ୍କ ଭିତରେ
ଏମିତି ଯାଆନ୍ତି ହଜି
ସହଜ ନୁହଁଇ ଖାଲି ଆଖିରେ ତ
ଚିହ୍ନିବାକୁ ତାଙ୍କୁ ଖୋଜି ।
ବଶିଷ୍ଠ ମରିଚି ପୁଲସ୍ତ୍ୟ ପୁଲଶଃ
ଅତ୍ରି ଆଦି ନାମ ବହି
ସାତଟି ତାରାରେ ପ୍ରଶ୍ନବାଛି ଚିହ୍ନ
ସପ୍ତର୍ଷୀ ମଣ୍ଡଳ ସେହି ।
ମଥାପରେ ଦିଶେ ଉଜ୍ବଳ ନକ୍ଷତ୍ର
ଧ୍ରୁବତାରା ଅଟେ ସେତ
ସାଧବ ପୁଅଙ୍କୁ ସାଗର ଛାତିରେ
ଦେଉଥିଲା କହି ପଥ ।
ରାତି ଆକାଶରେ ନିରୀକ୍ଷଣ କରି
ତାରାମାନଙ୍କର ଗତି
ପଠାଣି ସାମନ୍ତ ଲେଖିଯାଇଛନ୍ତି
ସିଦ୍ଧାନ୍ତ ଦର୍ପଣ ପୋଥି ।
ତାରାଫୁଲ ପାଇଁ ରାତିତ ସୁନ୍ଦର
ଆକାଶର ବଢେ ଶୋଭା
ତାରାଫୁଲ ପାଇଁ ତମସାରେ ଭରା
ରାତି ଲାଗେ ମନଲୋଭା ।
