ତାପିତ ଧରିତ୍ରୀ
ତାପିତ ଧରିତ୍ରୀ
ରୌଦ୍ରତାପେ ଆଜି ତାପିତ ଧରଣୀ
ପ୍ରଚଣ୍ଡତା ସୀମା ଲଙ୍ଘେ
ଗାଁ ରୁ ସହର ହନ୍ତସନ୍ତ ଆଜି
ଜୀବନ ତ ଶାନ୍ତି ମାଗେ ।
ରୌଦ୍ରତାପେ ଆଜି ତାପିତ ଧରିତ୍ରୀ
ବିବର୍ଣ୍ଣ ତା ରୂପ ରଙ୍ଗ
ସବୁଜ ପଣତେ ନିଆଁ ଲାଗି ଅଛି
ମାଧୁର୍ଯ୍ୟ ହୋଇଛି ଭଙ୍ଗ ।
ତାପିତ ଧରିତ୍ରୀ ବୁକୁ ପାଟି ଅଛି
ଆକାଶକୁ ମାଗେ ଜଳ
ତୃଷାତୁର ତା ଜୀବ ଜଗତ
ଚକ୍ଷୁ ଲୁହ ଛଳ ଛଳ ।
ତାପିତ ଧରିତ୍ରୀ ବିଷାଦେ ଆହତ
ପକ୍ଷୀ କୁଜନ ଶୁଣୁନି
ଜଙ୍ଗଲ ସମ୍ପଦ ତାର ଜଳୁଅଛି
ସେ କିଛି କରି ପାରୁନି ।
ପଶୁ କୂଳ ଆଜି ତୃଷାର୍ତ୍ତ ବିକଳ
ଧରା ଅସହାୟେ ଚାହେଁ
ବୁକୁ ଫଟାଇ ସେ ଚିତ୍କାର କରଇ
ମାନବେ ଉତ୍ତର ମାଗେ ।
ରୌଦ୍ରତାପ ଆଜି ସୀମା ଲଙ୍ଘି ଚାଲେ
ଜୀବନ ଜୀବିକା ତ୍ରସ୍ତ
ଆକାଶରୁ ଖାଲି ଅଗ୍ନି ବରଷୁଛି
ଧରିତ୍ରୀ ମାଆ ଯେ ବ୍ୟସ୍ତ ।
ପ୍ରଚଣ୍ଡ ରୌଦ୍ରର ପ୍ରଭାବ ମଣିଷ
ଅଂଶୁଘାତେ ପ୍ରତୀଡ଼ିତ
ଧରଣୀ ରାଣୀ ଶ୍ରେଷ୍ଠ ସୃଷ୍ଟି ପାଖେ
ରଖୁଛି ଅକୁହା ଖେଦ ।
ଧରଣୀ ମାତା କହୁଛି ମାନବେ
କିମ୍ପା ସୃଷ୍ଟି ଧ୍ଵଂସ କରୁ
ନିଜ ହାତେ ନିଜ ଜିହ୍ୱା ଛେଦି କିମ୍ପା
ବିପଦ କୁ ହାତ ଠାରୁ ।
ବିକାଶ ନାମରେ ବିନାଶକୁ କିମ୍ପା
ନିମନ୍ତ୍ରଣ କରୁ ଅଛୁ
ବିକାଶ ସହିତ ଜୀବନର କଥା
ବିଚାର ଯେ ନ କରୁଛୁ ।
ପ୍ରଚଣ୍ଡ ରୌଦ୍ରରେ ତଣ୍ଟି ଶୁଷ୍କ ହୋଇ
ଧରଣୀ ମାଗଇ ଜଳ
କହୁଛି ହେ ବିଜ୍ଞ ପ୍ରାଜ୍ଞ ମାନବ
ବିଶ୍ଵ କଥା ଟିକେ ଭାଳ ।
ଶକ୍ତିର ଆଧାର ସୂର୍ଯ୍ୟଦେବ ଦେଖ
ତୁମ କାଯ୍ୟେ ମର୍ମାହତ
ସବୁଜ ବଳୟ ଭାଙ୍ଗୁଛ ହେ ନର
ଓଜନ ସ୍ତରରେ ଛିଦ୍ର ।
ଧରଣୀ ରାଣୀ ଯେ ସତର୍କ କରାଏ
ବୁଝ ହେ ମାନବ ଜାତି
ଅମୂଲ୍ୟ ଜୀବନ ନ ରହିବ ଯଦି
କା ପାଇଁ ବିକାଶ ନୀତି ।
ପ୍ରଚଣ୍ଡ ରୌଦ୍ର ସଂତାପିତ କରେ
ଏ ସାରା ଜଗତ ତ୍ରସ୍ତ
ଆସ ସର୍ବେ ମିଳି ବିଚାର କରିବା
ବିପଦ କେମିତି ଯିବ ।
ବର୍ତ୍ତମାନ ପାଇଁ ସେବାଭାବ ନେଇ
ଜଳଦାନ ଯେ କରିବା
ଦାଣ୍ଡରେ ବାହାରେ ଛାତ ଉପରେ ଯେ
ଜଳ ପାତ୍ର ରଖି ଦେବା ।
ଜୀବଯନ୍ତୁ ଆଉ ପକ୍ଷୀ କୂଳଙ୍କର
ତୃଷା ଆମେ ମେଣ୍ଟାଇବା
ଭବିଷ୍ୟତ ପାଇଁ ଏକଜୁଟ ହୋଇ
ସବୁ ପଦକ୍ଷେପ ନେବା ।
ପ୍ରଚଣ୍ଡ ରୌଦ୍ରରେ ଉତ୍ତପ୍ତ ଧରିତ୍ରୀ
ଆଇନା ଦେଖାଉଅଛି
ହେ ପ୍ରାଜ୍ଞ ମଣିଷ ସଚେତନ ହୁଅ
ହାତ ଯୋଡ଼ି କହୁଅଛି ।
କହୁଛି ଧରିତ୍ରୀ ଶୋକାତୁର ହୋଇ
ହେ ମାନବ ଜାତି ଶୁଣ
ତୁମେ ଚାହିଁଲେ ହିଁ ଗ୍ରୀଷମ କେବେ ବି
ସୀମା ନ ଲଙ୍ଘିବ ପୁଣ ।
ସବୁ ଋତୁ ପୁଣି ନିୟମେ ଆସିବ
ଜୀବ ଜଗତ ହସିବ
ହାତ ଯୋଡି କୁହେ ହେ ମଣିଷ ଜାତି
ଏ ପୃଥିବୀ ରକ୍ଷା କର ।
