STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ତାଙ୍କ ପରି ଜଣେ ସାମନ୍ତ

ତାଙ୍କ ପରି ଜଣେ ସାମନ୍ତ

2 mins
288

ସେ କମ୍ଭୁ କଟକର ସମ୍ରାଟ

କୋଟି ହୃଦୟୁ ହୃଦୟ ପରିବ୍ୟାପ୍ତ

ଲୋଟିଯାନ୍ତି ଭକ୍ତ ବାଇଶି ପାବଛେ

ଡାକି ରଖ ହେ କାଳିଆ ସାଆନ୍ତ। 

ସତେ ତାଙ୍କ ପରି ଜଣେ ସାମନ୍ତ ନାହିଁ ନାହିଁତ।୦।


ଅତି ରହସ୍ୟମୟ ସେ ଠାକୁର

ଅଧାଗଢ଼ା କିନ୍ତୁ ପୂର୍ଣ୍ଣ ଈଶ୍ୱର,

ସେ କ୍ଷରରୁ ଅତୀତ ଅକ୍ଷରରୁ ଉଚ୍ଚ

ପୁରୁଷୋତ୍ତମ ସେ ନିରାକାର। 

ଅନନ୍ତକାଳର ଗବେଷଣା ଶେଷେ

ସେ ଅସରନ୍ତି ଏକ ଭାବତତ୍ତ୍ଵ

ସତେ ତାଙ୍କ ପରି ଜଣେ ସାମନ୍ତ ନାହିଁ ନାହିଁତ।୧।


କେବେ ଧାଇଁ ଯାଇ ଥରେ ଦେଖ

ସବୁ ଆବେଗକୁ ଢ଼ାଳି ଦେଖ,

ବାହୁ ମେଲି ସତେ କୋଳେଇ ନେବାକୁ

ବ୍ୟଗ୍ର କେତେ ସେ କଳା ଶ୍ରୀମୁଖ। 

ସେ ଯେତେ ତୁମର ତାଠାରୁ ଅଧିକ ତୁମେ ତା ନିଜର

ଲୟ କରି ହୃଦ ଥରେ ଚିନ୍ତ,

ସତେ ତାଙ୍କ ପରି ଜଣେ ସାମନ୍ତ ନାହିଁ ନାହିଁତ।୨।


କେତେ ଦୁଃଖୀ, ରଙ୍କି, ରୋଗୀ, ଭୋଗୀ

ରାଜା, ପ୍ରଜା, ଅଜ୍ଞାନୀ, ବୈରାଗୀ

ନାହିଁ ତାଙ୍କ ପାଶେ ପାତର ଅନ୍ତର

ସେ ଭାବ ବିନୋଦିଆ ଭକ୍ତ ସଙ୍ଗୀ। 

ଦିବ୍ୟ ରୁପକାନ୍ତି ବିହ୍ୱଳିତ କରେ

ଯେବେ ମଗ୍ନ ହୁଏ ତାଙ୍କ ଭାବେ ଚିତ୍ତ

ସତେ ତାଙ୍କ ପରି ଜଣେ ସାମନ୍ତ ନାହିଁ ନାହିଁତ।୩।


ଅଲୌକିକ ତାଙ୍କ ଦିବ୍ୟ ଲୀଳା

ଭକ୍ତ ହୃଦୟେ କରନ୍ତି ସଦା ଖେଳା

କାହା ପାଇଁ ବ୍ରହ୍ମ ଜଗତ ତାରକ

କିନ୍ତୁ ଓଡ଼ିଆର ସିଏ ଅତି ଗେହ୍ଲା। 

ତାଙ୍କ ନିତିକାନ୍ତିରେ ଓଡ଼ିଆ ଜୀବନ ଗାଥା

ସେ ପାଇଁ ଉତ୍କଳ ତାଙ୍କ ନାମେ ପରିଚିତ

ସତେ ତାଙ୍କ ପରି ଜଣେ ସାମନ୍ତ ନାହିଁ ନାହିଁତ।୪।


କାହିଁ କେତେ କାଳୁ ଶ୍ରୀକ୍ଷେତ୍ରରେ

ଦାରୁ ରୂପେ ବିଜେ ଶ୍ରୀମନ୍ଦିରେ,

ବିବିଧ ଧର୍ମର ପ୍ଲାବନ ଘଟିଛି ସତ

କିନ୍ତୁ ସର୍ବ ଧର୍ମ ଲୀନ ଏହିଠାରେ। 

ନିର୍ବିବାଦେ ସର୍ବେ ଆପଣାଇଛନ୍ତି 

ହୋନ୍ତୁ ବୌଦ୍ଧ, ଜୈନ, ଶୈବ ଶାକ୍ତ କିମ୍ବା ଗାଣପତ୍ୟ

ସତେ ତାଙ୍କ ପରି ଜଣେ ସାମନ୍ତ ନାହିଁ ନାହିଁତ।୫।


ମହାକାଳୀ ରୂପେ ପୂଜେ ଶାକ୍ତ

ଜ୍ଞାନୀ କହେ ସତ୍ ଆନନ୍ଦ ଚିତ,

ତାନ୍ତ୍ରିକ କହେ ସେ କାଳ ଭୈରବ

ବୌଦ୍ଧ ଆଖିରେ ସେ ସ୍ଵୟଂ ବୁଦ୍ଧ। 

ଶୂନ୍ୟ ଓ ନିର୍ଗୁଣ ଆଖ୍ୟା ଦିଏ ଯୋଗୀ

କିନ୍ତୁ ସେ ଜଗତ ଜନଙ୍କ ନାଥ

ସତେ ତାଙ୍କ ପରି ଜଣେ ସାମନ୍ତ ନାହିଁ ନାହିଁତ।୬।


ସେ ଦେବତା ହୋଇ ବି ସମ୍ପର୍କୀୟ

ବିଶ୍ଵ ଜନମାନସର ଅତି ଆତ୍ମୀୟ

କାବ୍ୟରେ କଥାରେ ଶିଳ୍ପ ଭାସ୍କର୍ଯ୍ୟରେ

ସେ ଅରୂପ ହୋଇ ବି ରୂପମୟ। 

ଅଖିଳ ବ୍ରହ୍ମାଣ୍ଡ ଓ ଅଣୁ ପରମାଣୁ

ତାଙ୍କ ବିଶ୍ଵମୋହୀ ରୂପ ଅଙ୍କିତ

ସତେ ତାଙ୍କ ପରି ଜଣେ ସାମନ୍ତ ନାହିଁ ନାହିଁତ।୭।


ଦେଖ ଭକତ ବତ୍ସଳ କେତେ

ବିଜେ ହୋଇ ନନ୍ଦିଘୋଷ ରଥେ,

ଉପାସ୍ୟ ଆସନ୍ତି ଉପାସକ ପାଶେ

ଜନେ ଧନ୍ୟ ଦେଖି ବାମନଙ୍କୁ ରଥେ। 

ପଥରେ ବ୍ରତରେ ପୀଠରେ କଣ୍ଠରେ

ଶୁଭେ ଜୟ ଜୟ ଜଗନ୍ନାଥ,

ସତେ ତାଙ୍କ ପରି ଜଣେ ସାମନ୍ତ ନାହିଁ ନାହିଁତ।୮।


କେବେ ପାଇଛ ଶ୍ରୀମହାପ୍ରସାଦ !

ଅନ୍ନ ନୁହେଁ ବ୍ରହ୍ମତ୍ଵରେ ସ୍ଵୟଂ ସିଦ୍ଧ

ଜାତିର ଉର୍ଦ୍ଧ୍ବରେ ସର୍ବେ ପ୍ରାପ୍ୟ ସେ କୈବଲ୍ୟ

ଐକ୍ୟ ବିଶ୍ଵପ୍ରାଣତାରେ ପ୍ରତିବଦ୍ଧ। 

କଣାଏ ପାଇଲେ ମୋକ୍ଷ ଦ୍ଵାର ଫିଟେ

ମୃତ୍ୟୁମୁଖୀ ଆତ୍ମା ପାଇ ହୁଏ ମୁକ୍ତ

ସତେ ତାଙ୍କ ପରି ଜଣେ ସାମନ୍ତ ନାହିଁ ନାହିଁତ।୯।


କିବା ଦେବ ତାଙ୍କୁ ଆଭୂଷଣ

ସେ ତ ଐଶ୍ୱର୍ଯ୍ୟମୟ ଠାକୁର

ଭାବରେ ଭକ୍ତିରେ ଓ ଅନୁଭବରେ

ସେ ପ୍ରତ୍ୟକ୍ଷ ନିତ୍ୟ ଈଶ୍ୱର

ସବୁ ଜ୍ଞାନ ଓ ବିଜ୍ଞାନ ସେ ପାଦୁ ଆରମ୍ଭ ସେ ପାଦରେ ଲୀନ

ସେ ସ୍ଵୟଂ ମାୟା ସ୍ଵୟଂ ସତ୍ୟ

ସତେ ତାଙ୍କ ପରି ଜଣେ ସାମନ୍ତ ନାହିଁ ନାହିଁତ।୧୦।



Rate this content
Log in

Similar oriya poem from Abstract