ତା' ପରେ
ତା' ପରେ
ଆଈ ମା’ କାହାଣୀ ଶୁଣି କୁନାମୁନି
ପଚାରିଥାଆନ୍ତି ତା’ ପରେ
ଜାଣିବାର ଇଚ୍ଛା ବଢ଼ାଇ ଆଗକୁ
ବୋଲିଥାନ୍ତି କେତେ ହରଷରେ !
ସରିଲେ କାହାଣୀ ତା’ ପରେ ପୁଣି
ପାଠ ପଢ଼ା କିବା ନିଦ୍ରା କୋଳେ
ସମୟ ବିତାନ୍ତି ଏହିପରି ପରା
ପିଲାମାନେ ଅତୀତ କାଳରେ ।
ଗଳ୍ପ ଉପନ୍ୟାସ ପଠନ ସମୟେ
ଜିଜ୍ଞାସା ବି ଥାଏ ତା’ ପରେ
ହୋଇଲେ ସମାପ୍ତ ମନ ଉତ୍ଫୁଲ୍ଲିତ
ଅନୁଭବୀ ଜାଣେ ତା’ପରେ ।
ଅଚେତନଠାରୁ ଚେତନ ପର୍ଯ୍ୟନ୍ତ
ସକଳ ଜୀବନେ ତା’ ପରେ
ପରିବର୍ତ୍ତନର ପରିଲକ୍ଷିତ ବି
ହେଉଥାଏ ସମୟାନୁସାରେ ।
ଏଇଆ କରିବି ସେଇଆ କରିବି
ତା’ ପରେ ତା’ ପରେ ଭାବେ କେହି
କିଏ ସେ ଭାବନା କରଇ ପୂରଣ
କିଏ ବି ତା’ ପାଖ ମାଡ଼େ ନାହିଁ ।
ତା’ ପରେ ମୂଲ୍ୟର ମାନ ରଖେ ଯିଏ
ତା’ ଜୀବନ ସୁଖରେ କଟଇ
ଯିଏ ସେ କର୍ମକୁ ନ ପାରିଲା ଛୁଇଁ
ଭାବନା କି ତା’ର ବୃଥା ନୋହି ।
ତା’ ପରେ ତା’ ପରେ ରଖି ଧନ ଆଶା
କେହି ବାହୁଥାଏ ତା’ର ନାବ
ଆଶା ଅସୁମାରି କେବେ ସରେ ନାହିଁ
ଚାଲିଗଲେ ପରା କା’ର ଜୀବ ।
ଜଗତ ମଙ୍ଗଳ କରମରେ ଧ୍ୟାନ
ତା’ ପରେ ତା’ ପରେ ଯେ ରଖଇ
ଆନ ହୃଦୟରେ କରି ଘରଟିଏ
ଆତ୍ମସନ୍ତୋଷେ ଦିନ କାଟଇ ।
ତା’ ପରେ ଶବ୍ଦକୁ ଦେଖି ନାହିଁ କେହି
କେବଳ ସେ ଖେଳ ନିୟତିର
କର୍ମ ହିଁ ଜୀବନ କର୍ମ ଭଗବାନ
ସାଧିବାରେ ଦୃଢ଼ତା ମନର ।
ଏହି ବିଶ୍ବାସକୁ ହୃଦୟରେ ଧରି
ଚାଲୁଥିବା ଯେବେ ଯେଝା ପଥେ
ଫଳ ଇଚ୍ଛା ତ୍ୟାଗୀ ହେବା ସଉଭାଗୀ
ତା’ ପରେ ଜୀବନ ମୁକ୍ତି ଅର୍ଥେ ।।
