ସୂର୍ଯ୍ୟାସ୍ତ ବି ହସେ
ସୂର୍ଯ୍ୟାସ୍ତ ବି ହସେ
ଦୁଃଖ ଅପ୍ରମିତ ସୁଖ ଅବିରତ
କାହାକୁ ଭାବିବି ଅତି ନିଜର ?
ସୁଖର ପରିଧି ସଂକୀର୍ଣ୍ଣ ସୀମିତ
ଦୀର୍ଘାୟୁ ଦୁଃଖ ହିଁ ନିକଟତର !!
କର୍ମଫଳ ଅବା ଭାଗ୍ୟଫଳ ନେଇ
କାହିଁକି ମୁଁ ନିଜେ ଗର୍ବ କରିବି ?
ଉଭୟ ଫଳ ହିଁ ମୋ' ପାଇଁ ବିରଳ
ବରଂ ନିଜ କର୍ମ କରି ଚାଲିବି !!
କର୍ମ ତ କରିବି , ଦୁଃଖରେ ସୁଖରେ
ନିଜକୁ କରି ମୁଁ ନିଜର ସାଥୀ ।
ନିଜ ସାମର୍ଥ୍ୟକୁ ନିଜେ ନ ଜାଣିଲେ
କିଏ ବା ବାଢ଼ିବ ଶରଧା ପ୍ରୀତି ??
ଆଶା ଇନ୍ଦ୍ରଧନୁ ନିତି ଉଙ୍କିମାରେ
ସପ୍ତରଙ୍ଗଭରା ଡେଣାକୁ ମେଲି ।
ଜୀବନନାଟିକା ଅଷ୍ଟମ ରଙ୍ଗରେ
ଡୁବି ରହିଛି ମୁଁ , ଯନ୍ତ୍ରଣା ଖାଲି ।।
ସୂର୍ଯ୍ୟୋଦୟ ସଙ୍ଗେ ସୂର୍ଯ୍ୟାସ୍ତ ବି ହସେ
ଆଲୋକ ସାଙ୍ଗକୁ ଅନ୍ଧାର ଆସେ ।
କେମିତି ଭାବୁଛ ସୁଖର ଶେଯରେ
ଶୋଇ ରହିଥିବ ମହା ହରଷେ !!
ପଥରକୁ ତୁମେ ଦେବତା ସଜାଇ
ଢାଳିଦେଉଅଛ ଲକ୍ଷେ ଭକତି ।
ଭକତି ନାମରେ ଦେଖାଣିଆପଣେ
ଲୁଟି ଚାଲିଅଛ ମୂଳ ସମ୍ପତ୍ତି ।।
ପ୍ରକୃତ ଦେବତା ଦରିଦ୍ର ରୂପରେ
ଦ୍ୱାରେ ଦ୍ୱାରେ ବୁଲି ମାଗନ୍ତି ଭିକ ।
ସେଇମାନଙ୍କର ଅନ୍ନପ୍ରାଶନରେ
ହୁଏତ ପାଇବ ଚରମ ସୁଖ ।।
ଈଶ୍ୱରଙ୍କୁ କେବେ ଦେଖିଛ କି ତୁମେ
ସ୍ୱଭାବେ ସେଇ ଯେ ପରୋପକାରୀ !
ଦୁଃଖୀଦରିଦ୍ରଙ୍କ ସେବାରେ ପାଇବ
ଈଶ୍ୱରଙ୍କ ସଙ୍ଗେ ସ୍ୱୟଂ ଈଶ୍ୱରୀ !!
ଯାହାକୁ କହୁଛ ସ୍ୱାଭିମାନ ବୋଲି
ସ୍ୱାଭିମାନ ନୁହେଁ , ତା' ଅହଙ୍କାର ।
ଅଦମ୍ୟ ସ୍ୱାର୍ଥର ଅଜଣା ଅର୍ଥରେ
ଲୁଚିଲୁଚି କରେ ତୀବ୍ର ହୁଙ୍କାର ।।
ଜ୍ଞାନୀମାନଙ୍କର ବିଧାନ ସତ୍ତ୍ୱେ ବି
ଅଜ୍ଞାନମାନଙ୍କ ଅଭାବ ନାହିଁ ।
ରାଜନୀତି ଆଉ ଅର୍ଥନୀତି ବକ୍ଷେ
କୌଟିଲ୍ୟଶାସ୍ତ୍ରର ମୂଲ୍ୟ ବା କାହିଁ !!
ଧର୍ମ ଯେଉଁଠାରେ ଅନ୍ଧ ପାଲଟିଛି
ନ୍ୟାୟପାଳିକା ବି ସ୍ଥାଣୁ , ନିଶ୍ଚଳ ।
ସୁଖଶାନ୍ତି ତୁମେ ପାଇବ କେଉଁଠି
ଖୋଜ ନାହିଁ ବନ୍ଧୁ ! ହେବ ନିଷ୍ଫଳ !!
ଚେତନ ହେଉ ବା ଅବଚେତନରେ
ମନପରିଧିରେ ଉଚ୍ଛୃଙ୍ଖଳତା ।
କେଉଁଠୁ ମିଳିବ ସୁଅନୁଶାସନ
ଚାରିଆଡ଼େ ଖାଲି ଅରାଜକତା ।।