ସୂରୁଜ ଶୋଇଗଲା ପରେ
ସୂରୁଜ ଶୋଇଗଲା ପରେ
ମହଣ ମହଣ ଅନ୍ଧାର ସବୁ
ଲଗାମ ଛଡ଼ା ହୁଅନ୍ତି
ସୁରୁଜ ଶୋଇଗଲା ପରେ
ଦିନ ଓହ୍ଲାଇ ଦିଏ ତା ଅହଙ୍କାରର
ସୁନା ରଙ୍ଗର ପୋଷାକ
ସୂରୁଜ ଶୋଇଗଲା ପରେ।
ରାତି ହେଲେ ନା ଥାଏ
ସଜବାଜର ସଉକ
ନା ଥାଏ କେଉଁ କଳଙ୍କର ଭୟ
ନିଜ ଉଲଗ୍ନ ମନଟା ଅନ୍ଧାରରେ
ବି ସ୍ପଷ୍ଟ ଦିଶିଯାଏ
ସୂରୁଜ ଶୋଇଗଲା ପରେ।
ସବୁ ଥିଲାପଣ ଯେମିତି
ହଠାତ୍ ମିଳେଇ ଯାଏ ପବନରେ
ଏକ ଖାଲିପଣ ଆବୋରି ବସେ
କ୍ଳାନ୍ତ ହୃଦ ଅଗଣାରେ
ଭାରି ହାଲକା ଲାଗେ ପାଦ ଦେଇ
ଶୂନ୍ୟତାର କଳା ସହରରେ
ସୂରୁଜ ଶୋଇଗଲା ପରେ।
ଇଛା ନଥିଲେ ବି ଆଦରିବାକୁ ପଡ଼େ
ଅନ୍ଧାରର ପୋଡ଼ା ବିଛଣାକୁ
ଅଭ୍ୟାସରେ ପକାଇବାକୁ ପଡ଼େ
ଯନ୍ତ୍ରଣାକୁ ଢ଼ୋକି ମିଛରେ ହସିବାକୁ
ନିଜ ଠିକଣାକୁ ଫେରିବାକୁ ପଡ଼େ
ସେ ହେଉ ପଛେ ଭଙ୍ଗା କି ଦଦରା
ସୂରୁଜ ଶୋଇଗଲା ପରେ।
ସବୁ ହାରଜିତ ଶେଷ ହୁଏ
ଏକ ପୂର୍ଣ୍ଣଚ୍ଛେଦର ଠିକ୍ ପରେ ପରେ
ଆଶା ସ୍ଵପ୍ନ ଓ ଇଛାମାନେ ସ୍ଥାଣୁ ପାଲଟନ୍ତି
ବିଶ୍ୱାସ ଭାଙ୍ଗିଗଲା ପରେ
ସେ ଯାହା ହେଉ ପଛେ କିନ୍ତୁ
କିଛି ରୋଷଣୀ ମାନେ ଖୁସି ମନାନ୍ତି
ସୂରୁଜ ଶୋଇଗଲା ପରେ।
ବୁଢ଼ା ବାପାଟି ଅଗଣାରେ ଶୋଇ ରହି
ଆକାଶକୁ ଚାହିଁ ରହିଥାଏ
ଆଉ ଗୋଟେ ଆୟୁଷର ଦିନ ସରିଗଲା ବୋଲି
ବୋଧ ହୁଏ ଆଶ୍ୱସ୍ତିରେ ଖୁସି ହେଉଥାଏ
ଆଉ ଏକ ସକାଳର ଆଶା ସବୁ ଛାଡ଼ି
ଆଖି ବୁଝେ ନିଶ୍ଚିତରେ ଏକ ଶୂନ୍ୟ ଅପେକ୍ଷାରେ
ସୂରୁଜ ଶୋଇଗଲା ପରେ।