ସୁନ୍ଦର
ସୁନ୍ଦର
ସୁନ୍ଦର ପୋଷାକ ପିନ୍ଧିଲେ ଯେକେହି
ହୁଏ ପରା ଆକର୍ଷିତ
ସୁନ୍ଦର ସ୍ଥାନକୁ ବୁଲିଗଲେ ପରା
ମନ ଲାଗେ ପ୍ରଫୁଲ୍ଲିତ ।
ଘରକୁ ସୁନ୍ଦର ରଖିଲେ ହୁଅନ୍ତି
ଖୁସି ପରା ଗୃହଲକ୍ଷ୍ମୀ
ହ୍ରଦଟି ସୁନ୍ଦର ଲାଗଇ ସେଠାରେ
ରୁଣ୍ଡ ହେଲେ ନାନା ପକ୍ଷୀ ।
ଗଛଟି ସୁନ୍ଦର ଲାଗେ ଯେବେ ସେଠି
ଫୁଲ ଫୁଟେ ଫଳ ଫଳେ
କ୍ଷେତଟି ସୁନ୍ଦର ଦିଶଇ ଯେବେରେ
ସୁନାର ଫସଲ ଖେଳେ ।
ଏଫୁଲୁ ସେଫୁଲ ଉଡ଼େ ପ୍ରଜାପତି
ବଗିଚା ସୁନ୍ଦର ଦିଶେ
ମା' କୋଳ ସୁନ୍ଦର ଶିଶୁଟିକୁ ନେଇ
ଶିଶୁ ଯେବେ ସ୍ମିତ ହସେ ।
ଛାତ୍ରଛାତ୍ରୀ ଥିଲେ ସୁନ୍ଦର ଲାଗଇ
ବିଦ୍ୟାଳୟ ପରିବେଶ
ଜହ୍ନମାମୁଁ ତଥା ତାରକାକୁ ନେଇ
ସୁନ୍ଦର ଲାଗେ ଆକାଶ ।
ସୁନ୍ଦର ଅଥବା ମଧୁର ବଚନ
ମୋହିନିଏ ମନପ୍ରାଣ
ସୁନ୍ଦର ଅକ୍ଷର ଆକର୍ଷିତ କରେ
ବଢ଼ାଏ ଲେଖାର ମାନ ।
ନଈ ପୋଖରୀଟି ଲାଗଇ ସୁନ୍ଦର
ଫୁଟିଲେ କମଳ କଇଁ
ପର୍ବତ ସୁନ୍ଦର ପର୍ବତରେ ଯଦି
ଗଛଲତା ଭରି ଥାଇ ।
କଥାରେ କହନ୍ତି ସୁନ୍ଦର ତୃପ୍ତିର
କେବେ ଅବସାଦ ନାହିଁ
ଯେତେ ଦେଖୁଥିଲେ ଆଖିକୁ ସର୍ବଦା
ନୂଆ ନୂଆ ଦିଶୁଥାଇ ।
