ସୁନାପିଲା
ସୁନାପିଲା
କାମ ସାରି ଜେଜେ ହାଲିଆ ହୋଇ ।
ମୁହଁ ମାଡି ଦେଖ ଅଛନ୍ତି ଶୋଇ ।୧।
ରେଡିଓ ବାଜୁଛି ପାଖରେ ଥାଇ ।
ଜେଜେମା ବସିଛି ଘୋଡେଇ ହୋଇ ।୨।
ନାତି ନାତୁଣୀଙ୍କୁ ଡାକି ଜେଜେମା ।
କହିଲେ ଟୁକୁନା ଶୁଣୁ ପିଙ୍କି ମା ।୩।
ଜେଜେ ଆସିଛନ୍ତି ହାଲିଆ ହୋଇ।
ମୁହଁ ମାଡି ସିଏ ଅଛନ୍ତି ଶୋଇ ।୪।
କୁଦିଦିଅ ତାଙ୍କୁ ଭଲ ଲାଗିବ ।
କହ ଦିହେଁ ଆଗ କିଏ କୁଦିବ ? ୫।
କୁଦିଲେ ଜେଜେଙ୍କ ହାଲିଆ ଯିବ ।
ସୁନାପିଲା କହ କିଏ ହୋଇବ ? ୬।
ଟୁକୁନା କହିଲା ମୁଁ କୁଦିବି ।
ସୁନାପିଲାଟିଏ ମୁଁ ହୋଇବି ।୭।
ପିଙ୍କି ଶୁଣି କହେ ମୁଁ କୁଦିବି ।
ସୁନାପିଲା ଏବେ ମୁଁ ହୋଇବି ।୮।
ଜେଜେମା ଶୁଣି ଖୁସି ହୋଇଲେ ।
ଦିହେଁଯାକ କୁଦ ବୋଲି ବୋଇଲେ। ୯।
ପିଲାଙ୍କର ଖୁସି ଦେଖିବ କିଏ ?
ଜେଜେଙ୍କୁ କୁଦନ୍ତି ଦିହିଁକି ଦିହେଁ ।୧୦।
ଦୁହେଁଯାକ ସୁନାପିଲା ହୋଇବେ ।
ଜେଜେ ଜେଜେମା ଆନନ୍ଦ ହେବେ ।୧୧।
